କାଇରୋ: କଙ୍ଗୋ ଗଣତାନ୍ତ୍ରିକ ଗଣରାଜ୍ୟରେ ଏକ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଦୁଇଜଣ ବରିଷ୍ଠ ସାମରିକ ଅଧିକାରୀଙ୍କ ସମେତ ଅତି କମରେ ୧୪ ଜଣଙ୍କର ମୃତ୍ୟୁ। ମୃତ ଅଧିକାରୀଙ୍କ ମଧ୍ୟରେ ସାମରିକ ଅଦାଲତର ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ମୁଟୋମ୍ବୋ କାଟାଲାଇ ଟିଆଣ୍ଡେ ଏବଂ ସଶସ୍ତ୍ର ବାହିନୀର ଅଡିଟର ଜେନେରାଲ ଲେଫ୍ଟନାଣ୍ଟ ଜେନେରାଲ ବାକୁମି ଲିକୁଲିଆ ଅଛନ୍ତି।
କଙ୍ଗୋର ସାମରିକ ମୁଖପାତ୍ର ମେଜର ଜେନେରାଲ ଏଫୋମି ଆକେଙ୍ଗେ ଏକ ବିବୃତ୍ତିରେ କହିଛନ୍ତି ଯେ, ଏହି ଦୁଇ ଜେନେରାଲ ଅଧିକାରୀଙ୍କ ବ୍ୟତୀତ, ପ୍ରତିନିଧିମଣ୍ଡଳ ଏବଂ କ୍ରୁର ୧୨ ଜଣ ସଦସ୍ୟ ମଧ୍ୟ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ବିମାନଟି ଦକ୍ଷିଣ-ପଶ୍ଚିମ କିକ୍ୱିଟରୁ ରାଜଧାନୀ କିନଶାସାକୁ ଫେରୁଥିଲା। ରାସ୍ତାରେ ଯାନ୍ତ୍ରିକ ତ୍ରୁଟି ଅନୁଭବ କରିବା ପରେ ଏହା କେଙ୍ଗେରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ବିମାନରେ ଥିବା ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା।
ଦୁର୍ଘଟଣାର କାରଣ ନିର୍ଣ୍ଣୟ କରିବା ପାଇଁ ତଦନ୍ତ ଆରମ୍ଭ କରାଯାଇଛି। ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷଙ୍କ ବୋର୍ଡ ଅଧ୍ୟକ୍ଷ ଟ୍ରିଫନ୍ କିନ୍-କିୟେ ମୁଲୁମ୍ବା କହିଛନ୍ତି ଯେ ଦୁର୍ଘଟଣାର କାରଣ ବର୍ତ୍ତମାନ ଜଣାପଡ଼ି ନାହିଁ।
ଅଧିକ ପଢ଼ନ୍ତୁ: ନକଲି କାଗଜପତ୍ର ବ୍ୟବହାର: ଛତିଶଗଡ଼ରୁ ବାଂଲାଦେଶୀ ବ୍ୟକ୍ତି ଗିରଫ