ନୂଆଦିଲ୍ଲୀ: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଶନିବାର କହିଛନ୍ତି ଯେ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍ଏସି)ରେ ପାଟ୍ରୋଲିଂ ନେଇ ଚୀନ୍ ସହ ହୋଇଥିବା ଚୁକ୍ତିର ଅର୍ଥ ନୁହେଁ ଯେ ଦୁଇ ଦେଶ ମଧ୍ୟରେ ସମସ୍ୟାର ସମାଧାନ ହୋଇଛି, ଯଦିଓ ସୈନ୍ୟ ପ୍ରତ୍ୟାହାର ଆମକୁ ପରବର୍ତ୍ତୀ ପଦକ୍ଷେପ ଉପରେ ବିଚାର କରିବାକୁ ସମୟ ଦେଇଛି। ଏହି ଚୁକ୍ତିକୁ ସେ ସାମରିକ ବାହିନୀକୁ ଶ୍ରେୟ ଦେଇଛନ୍ତି, ଯେଉଁମାନେ ଅତ୍ୟନ୍ତ ଅକଳ୍ପନୀୟ ପରିସ୍ଥିତିରେ କାର୍ଯ୍ୟ କରୁଥିଲେ।
ଅକ୍ଟୋବର ୨୧ତାରିଖରେ ସ୍ୱାକ୍ଷରିତ ଚୁକ୍ତି ଅନୁଯାୟୀ ଡେପସାଙ୍ଗ ଓ ଡେମ୍ଚୋକରେ ପାଟ୍ରୋଲିଂ କରାଯିବ। ଏବେ ଆମେ ପରବର୍ତ୍ତୀ ପଦକ୍ଷେପ ଉପରେ ବିଚାର କରିପାରିବା। ଏହା ନୁହେଁ ଯେ ସବୁ କିଛି ସମାଧାନ ହୋଇଛି, ବରଂ ସେନା ପ୍ରତ୍ୟାହାରର ପ୍ରଥମ ପର୍ଯ୍ୟାୟ ଅଛି ଏବଂ ଆମେ ସେହି ସ୍ତରରେ ପହଞ୍ଚିବାରେ ସଫଳ ହୋଇଛୁ।
ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ବେଳେ ଏକ ପ୍ରଶ୍ନର ଉତ୍ତରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ସମ୍ପର୍କ ସ୍ୱାଭାବିକ ହେବାକୁ ସମୟ ଲାଗିବ। ସ୍ୱାଭାବିକ ଭାବେ ବିଶ୍ୱାସ ଫେରାଇ ଆଣିବା ଏବଂ ଏକାଠି କାମ କରିବାକୁ ସମୟ ଲାଗିବ ବୋଲି ସେ କହିଛନ୍ତି।
ବ୍ରିକ୍ସ ଶିଖର ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେତେବେଳେ ଋଷର କାଜାନରେ ଚୀନରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟିଥିଲେ ସେତେବେଳେ ନିଷ୍ପତ୍ତି ନିଆଯାଇଥିଲା ଯେ ଦୁଇ ଦେଶର ବୈଦେଶିକ ମନ୍ତ୍ରୀ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତାମାନେ ସାକ୍ଷାତ କରି କିପରି ଆଗକୁ ବଢ଼ିବେ ତାହା ଦେଖିବେ।
ଯଦି ଆମେ ଆଜି ଏତେ ଦୂରରେ ପହଞ୍ଚିଛୁ, ତା'ର ଗୋଟିଏ କାରଣ ହେଉଛି ଆମେ ଆମ କଥାକୁ ସମର୍ଥନ କରିବା ଏବଂ ଆମର କଥା କହିବାପାଇଁ ଏକ ଦୃଢ଼ ପ୍ରୟାସ କରିଛୁ। ଦେଶକୁ ରକ୍ଷା କରିବା ପାଇଁ ସେନା ଅତ୍ୟନ୍ତ ଅକଳ୍ପନୀୟ ପରିସ୍ଥିତିରେ (ଏଲ୍ଏସିରେ) ଥିଲା ଏବଂ ସେନା ନିଜର କାମ କରିଥିଲା ଏବଂ କୂଟନୀତି ମଧ୍ୟ ନିଜର କାମ କରିଥିଲା।
ଗତ ଦଶନ୍ଧି ମଧ୍ୟରେ ଭାରତ ଏହାର ଭିତ୍ତିଭୂମିରେ ଉନ୍ନତି ଆଣିଛି ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ପୂର୍ବ ବର୍ଷଗୁଡ଼ିକରେ ସୀମାରେ ଭିତ୍ତିଭୂମିକୁ ଅବହେଳା କରାଯାଉଥିବା ମଧ୍ୟ ସମସ୍ୟା ରହିଛି। ଏକ ଦଶନ୍ଧି ପୂର୍ବ ତୁଳନାରେ ଆଜି ଆମେ ପ୍ରତିବର୍ଷ ପାଞ୍ଚ ଗୁଣ ଅଧିକ ସମ୍ବଳ ମୁତୟନ କରୁଛୁ, ଯାହାର ଫଳାଫଳ ମିଳୁଛି ଏବଂ ସେନାକୁ ପ୍ରକୃତରେ ପ୍ରଭାବଶାଳୀ ଭାବେ ମୁତୟନ କରିବାରେ ସକ୍ଷମ କରାଯାଉଛି ବୋଲି ସେ କହିଛନ୍ତି।
କିଛି ଦିନ ତଳେ ପୂର୍ବ ଲଦାଖରେ ଏଲଏସି ନିକଟରେ ସୈନ୍ୟ ପ୍ରତ୍ୟାହାର ଏବଂ ପାଟ୍ରୋଲିଂ ନେଇ ଭାରତ ଓ ଚୀନ ମଧ୍ୟରେ ଏକ ଚୁକ୍ତି ହୋଇଥିଲା, ଯାହା କି ୪ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ଅଚଳାବସ୍ଥାକୁ ଦୂର କରିବା ଦିଗରେ ଏକ ବଡ଼ ସଫଳତା। ଜୁନ୍ ୨୦୨୦ରେ ଗଲୱାନ ଉପତ୍ୟକାରେ ଦୁଇ ଦେଶର ସୈନିକଙ୍କ ମଧ୍ୟରେ ଭୟଙ୍କର ସଂଘର୍ଷ ପରେ ସମ୍ପର୍କରେ ତିକ୍ତତା ଆସିଥିଲା। ଗତ କିଛି ଦଶନ୍ଧି ମଧ୍ୟରେ ଉଭୟ ପକ୍ଷ ମଧ୍ୟରେ ଏହା ସବୁଠାରୁ ଗମ୍ଭୀର ସାମରିକ ସଂଘର୍ଷ ଥିଲା।