ନୂଆଦିଲ୍ଲୀ: ଶୀତଋତୁ ଜାରି ରହିଛି। ଏହି ସମୟରେ ଘନ କୁହୁଡ଼ି ମଧ୍ୟରେ ରାସ୍ତାରେ ଯାନବାହନ ଚଳାଚଳ କରୁଛି। ମାତ୍ର ସତର୍କ ନରହିବାରୁ ଲୋକଙ୍କୁ ଦୁର୍ଘଟଣାର ସାମ୍ନା କରିବାକୁ ପଡୁଛି। ଦୃଶ୍ୟମାନତା ଅତ୍ୟନ୍ତ କମ୍ ଥିବାରୁ ଶନିବାର ଅନେକ ସ୍ଥାନରେ ସଡ଼କ ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ୯ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ୧୨ରୁଅଧିକ ଲୋକ ଆହତ ହୋଇଥିଲେ। ଉତ୍ତରପ୍ରଦେଶ, ପଞ୍ଜାବ ଓ ହରିୟାଣାରେ ଏହି ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଛି। ହରିୟାଣା ବିଷୟରେ କହିବାକୁ ଗଲେ ଏଠାରେ ତିନୋଟି ଭିନ୍ନ ଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି।
ଗୁରୁଗ୍ରାମର ବାଟିକା ଛକ ଅଣ୍ଡରପାସ୍ ନିକଟରେ ଶନିବାର ଭୋର ୩ଟାରେ କୁହୁଡ଼ି ଯୋଗୁଁ ଏକ ଅଜଣା ଗାଡ଼ି ଧକ୍କାରେ ବାଇକ୍ ଆରୋହୀ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ଉତ୍ତରପ୍ରଦେଶ ପ୍ରୟାଗରାଜର ଓପିଏସ୍ ନଗରର ଶୁଭମ ତ୍ରିପାଠୀ। ଘନ କୁହୁଡ଼ି ଏବଂ ଦ୍ରୁତ ଗତିରେ ଗତି କରୁଥିବାରୁ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେରେ ୩ଟି ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି।
ଏହି ସଡ଼କ ଦୁର୍ଘଟଣାରେ ୧୪ଟି ଗାଡ଼ି ମଧ୍ୟ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି। କୁହୁଡ଼ି ଯୋଗୁଁ ସୋନିପତର ୪୪ ନମ୍ବର ଜାତୀୟ ରାଜପଥର ବିଂଶ ମାଇଲ ନିକଟରେ ଏକ କାର୍ ଏକ ଟ୍ରକ୍ କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ କାର୍ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ମହିଳା ଆହତ ହୋଇଛନ୍ତି। ପଞ୍ଜାବର ୪ଟି ସ୍ଥାନରେ କୁହୁଡ଼ି ଯୋଗୁଁ ସଡ଼କ ଦୁର୍ଘଟଣାରେ ୩ ମହିଳାଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି।
ହରିୟାଣାର ତୋହାନାସ୍ଥିତ ଏକ କୃଷକ ମହାପଞ୍ଚାୟତରେ ଯୋଗଦେବା ପାଇଁ ଏକ ବସ୍ ବରନାଲାର ଭଟିଣ୍ଡାରୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଏଥିରେ ୩ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୩୪ ଜଣ ଆହତ ହୋଇଛନ୍ତି।
ଉତ୍ତରପ୍ରଦେଶର ଆଗ୍ରା-ଜୟପୁର ରାଜପଥରେ ଶୁକ୍ରବାର-ଶନିବାର ରାତିରେ ଏକ ସଡ଼କ ଦୁର୍ଘଟଣାଘଟି ୨ ଜଣଙ୍କ ମୃତ୍ୟୁ ଘଟିଛି। ନେପାଳ ଯାଉଥିବା ଏକ ଘରୋଇ ବସ୍ ମହୁଆର ବ୍ରିଜ୍ ତଳେ ଆଗକୁ ଯାଉଥିବା ଟ୍ରେଲର ସହ ଧକ୍କା ହେବା ପରେ ପଛରେ ଏକ ମ୍ୟାକ୍ସ କାର୍ ମଧ୍ୟ ଧକ୍କା ହୋଇଥିଲା। ଘନ କୁହୁଡ଼ି ଯୋଗୁଁ ଏକ କାର୍ ପଛପଟୁ ପାର୍କିଂ ହୋଇଥିବା ଟ୍ରେଲରକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏଥିରେ ବସ୍ରେ ଥିବା ୪୦ ଜଣ ଆହତ ହୋଇଛନ୍ତି। ପିକ୍ଅପ୍ ଚଳାଉଥିବା ଡ୍ରାଇଭର ଓ କ୍ଲିନରଙ୍କୁ କ୍ୟାବିନ୍ କାଟି ବାହାର କରାଯାଇଥିଲା। ତାଙ୍କୁ ଚିକିତ୍ସା ପାଇଁ ଏସ୍ ଏନ୍ ମେଡିକାଲ କଲେଜକୁ ପଠାଯାଇଥିଲା। ଆଜମଗଡ଼ର ପୂର୍ବାଂଚଳ ଏକ୍ସପ୍ରେସୱେର ମୁବାରକପୁର ନିକଟରେ ଶନିବାର ଭୋର ୩ଟାରେ ଘନ କୁହୁଡ଼ି ଯୋଗୁଁ ଏକ କାର୍ ପଛପଟୁ ଛିଡ଼ା ହୋଇଥିବା ଟ୍ରେଲରକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି।
ଅଧିକ ପଢ଼ନ୍ତୁ: ମଧ୍ୟାହ୍ନ ଭୋଜନ ବିରତି ସୁଦ୍ଧା ଅଷ୍ଟ୍ରେଲିଆର ସ୍କୋର୍ ୭୧/୩