ୱାଶିଂଟନ୍: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମାଲୋନିଙ୍କୁ ପ୍ରଶଂସା କରିଛନ୍ତି। ଟ୍ରମ୍ପ ତାଙ୍କୁ 'ଚମତ୍କାର ମହିଳା' ବୋଲି କହିଛନ୍ତି। ଟ୍ରମ୍ପଙ୍କ କହିବା ଅନୁଯାୟୀ, ସେ ୟୁରୋପର ବିକାଶରେ ବଡ଼ ଭୂମିକା ତୁଲାଇଛନ୍ତି। ନିକଟରେ ଟ୍ରମ୍ପ ଫ୍ଲୋରିଡାର ପାମରେ ଥିବା ମାର୍-ଏ-ଲାଗୋ ବାସଭବନରେ ମାଲୋନିଙ୍କୁ ଭେଟିଥିଲେ।
ଶନିବାର ଦିନ ମାଲୋନିଙ୍କୁ ତାଙ୍କ ବାସଭବନରେ ସ୍ୱାଗତ କରିବା ଅବସରରେ ଟ୍ରମ୍ପ କହିଛନ୍ତି, ଏହା ଅତ୍ୟନ୍ତ ରୋମାଞ୍ଚକର। ମୁଁ ଏଠାରେ ଜଣେ ଚମତ୍କାର ମହିଳା, ଇଟାଲୀର ପ୍ରଧାନମନ୍ତ୍ରୀଙ୍କ ସହିତ ଅଛି।
ମାଲୋନି ଆଗାମୀ ଟ୍ରମ୍ପ ପ୍ରଶାସନର ବୈଦେଶିକ ସଚିବ ଫ୍ଲୋରିଡା ସିନେଟର ମାର୍କୋ ରୁବିଓ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଫ୍ଲୋରିଡା ପ୍ରତିନିଧି ମାଇକ୍ ୱାଲ୍ଟଜ୍ଙ୍କୁ ମଧ୍ୟ ସାକ୍ଷାତ କରିଥିଲେ। ସୂଚନା ଅନୁଯାୟୀ, ସେ ରାଷ୍ଟ୍ରପତି ବାଇଡେନଙ୍କୁ ମଧ୍ୟ ଭେଟିବେ।
ହ୍ଵାଇଟ୍ ହାଉସ୍ କହିଛି ଯେ ମାଲୋନିଙ୍କ ଏହି ବୈଠକ ଆମେରିକା-ଇଟାଲୀ ସମ୍ପର୍କର ଶକ୍ତିକୁ ଆହୁରି ସୁଦୃଢ଼ କରିବ। ବିଗତ ଏକ ବର୍ଷ ମଧ୍ୟରେ ଜି-୭ର ଦୃଢ଼ ନେତୃତ୍ୱ ପାଇଁ ବାଇଡେନ୍ ଇଟାଲୀ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେବେ।
କିଛି ଦିନ ତଳେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମାଲୋନି ଆମେରିକାର ଟେକ୍ ବିଲିୟନେୟାର ଏଲନ୍ ମସ୍କଙ୍କ ସହ ବନ୍ଧୁତାକୁ ନେଇ ଉଠିଥିବା ପ୍ରଶ୍ନର ଉଚିତ ଜବାବ ଦେଇଥିଲେ। ଯେଉଁ ଅଞ୍ଚଳରେ ତାଙ୍କର ଅର୍ଥନୈତିକ ସ୍ୱାର୍ଥ ରହିଛି ସେଠାରେ ସେ ପ୍ରଭାବିତ ହେବେ ନାହିଁ ବୋଲି ମାଲୋନି ଇଟାଲୀ ସଂସଦରେ କହିଛନ୍ତି।
ଅଧିକ ପଢ଼ନ୍ତୁ: ଆଜି ଏକାଧିକ ରେଳ ପ୍ରକଳ୍ପର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ର ମୋଦୀ