ନୂଆଦିଲ୍ଲୀ: ଚୀନର ଏଚଏମପିଭି ଭୂତାଣୁ ଭାରତରେ ପହଞ୍ଚିଛି। ବେଙ୍ଗାଲୁରୁରେ ଏହାର ପ୍ରଥମ ମାମଲା ରୁଜୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଜଣେ ୮ ମାସର ନାବାଳିକା ଏଥିରେ ସଂକ୍ରମିତ ହୋଇଛନ୍ତି। ସହରର ବାପ୍ଟିଷ୍ଟ ହସ୍ପିଟାଲରେ ଏହି ମାମଲା ରୁଜୁ ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ସେମାନେ ସେମାନଙ୍କ ପରୀକ୍ଷାଗାରରେ ନମୁନା ପରୀକ୍ଷା କରିନାହାଁନ୍ତି। ହସ୍ପିଟାଲର ଲ୍ୟାବରେ ହୋଇଥିବା ପରୀକ୍ଷାରେ ଏଚ୍ଏମ୍ପିଭି ଭୂତାଣୁ ଚିହ୍ନଟ ହୋଇଛି। କର୍ଣ୍ଣାଟକ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଏହି ସୂଚନା ଦିଆଯାଇଛି ।
ଚୀନ୍ରେ ହ୍ୟୁମାନ ମେଟା ପ୍ୟୁମୋ ଭାଇରସ୍ (ଏଚ୍ଏମ୍ପିଭି) ମାମଲା ଦ୍ରୁତଗତିରେ ବୃଦ୍ଧି ପାଉଛି। ଏଭଳି ସ୍ଥିତିରେ ଭାରତ ସମେତ ଅନ୍ୟ ଦେଶରେ ମଧ୍ୟ ସ୍ୱାସ୍ଥ୍ୟ ସମସ୍ୟା ବଢିବାରେ ଲାଗିଛି। ସେପଟେ ସତର୍କତା ଅବଲମ୍ବନ କରି ଏବେଠାରୁ ପୂରା ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ସ୍ୱାସ୍ଥ୍ୟ ଅଧିକାରୀ। କର୍ତ୍ତୃପକ୍ଷ ଏଚଏମପିଭି ଏବଂ ଅନ୍ୟ ଶ୍ୱାସକ୍ରିୟା ଭୂତାଣୁର ମୁକାବିଲା ପାଇଁ ପ୍ରସ୍ତୁତି ଉପରେ ଏକ ଆଡଭାଇଜରୀ ଜାରି କରିଛନ୍ତି ଏବଂ ଡାକ୍ତରଖାନାଗୁଡ଼ିକୁ ସତର୍କ ରହିବାକୁ କହିଛନ୍ତି।
ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶକ ଡାକ୍ତର ବନ୍ଦନା ବଗ୍ଗା ରବିବାର ଦିନ ଦିଲ୍ଲୀରେ ଶ୍ୱାସକ୍ରିୟା ଜନିତ ରୋଗର ମୁକାବିଲା ପାଇଁ ପ୍ରସ୍ତୁତି ବିଷୟରେ ଆଲୋଚନା କରିବା ପାଇଁ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଏବଂ ଆଇଡିଏସପିର ରାଜ୍ୟ କାର୍ଯ୍ୟକ୍ରମ ଅଧିକାରୀଙ୍କ ସହ ଏକ ବୈଠକ କରିଥିଲେ।
ଏହି ସୁପାରିସ ଅନୁଯାୟୀ, ଆଇଏଚ୍ଆଇପି ପୋର୍ଟାଲ ମାଧ୍ୟମରେ ଇନ୍ଫ୍ଲୁଏଞ୍ଜା ଭଳି ରୋଗ (ଆଇଏଲ୍ଆଇ) ଏବଂ ସିଭିୟର ଆକ୍ୟୁଟ୍ ରେସ୍ପିରେଟୋରି ଇନଫେକ୍ସନ (ଏସ୍ଏଆରଆଇ) ମାମଲାକୁ ତୁରନ୍ତ ରିପୋର୍ଟ କରିବାକୁ ହସ୍ପିଟାଲଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ସନ୍ଦିଗ୍ଧ ରୋଗୀଙ୍କ ପାଇଁ କଠୋର ଆଇସୋଲେସନ୍ ପ୍ରୋଟୋକଲ୍ ଏବଂ ସାର୍ବଜନୀନ ସତର୍କତା ଅବଲମ୍ବନ ବାଧ୍ୟତାମୂଳକ କରାଯାଇଛି।
ସଠିକ ତଦାରଖ ସୁନିଶ୍ଚିତ କରିବା ପାଇଁ ଡାକ୍ତରଖାନାଗୁଡ଼ିକ ଏସଆରଆଇ ମାମଲା ଏବଂ ପରୀକ୍ଷାଗାର-ନିଶ୍ଚିତ ଇନ୍ଫ୍ଲୁଏଞ୍ଜା ମାମଲାର ଉପଯୁକ୍ତ ଦସ୍ତାବିଜ ରଖିବା ଆବଶ୍ୟକ। ସାମାନ୍ୟ ରୋଗୀଙ୍କ ଚିକିତ୍ସା ପାଇଁ ଅକ୍ସିଜେନ ସହ ପାରାସିଟାମୋଲ, ଆଣ୍ଟିହିଷ୍ଟାମିନ, ବ୍ରୋଙ୍କୋଡିଲେଟର ଓ କଫ ସିରପ ଉପଲବ୍ଧ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି।
୨୦୨୫ ଜାନୁଆରି ୨ ତାରିଖ ସୁଦ୍ଧା ସମନ୍ବିତ ରୋଗ ନିରୀକ୍ଷଣ କାର୍ଯ୍ୟକ୍ରମ (ଆଇଡିଏସ୍ପି), ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ଏନସିଡିସି) ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ)ରୁ ମିଳିଥିବା ଅପଡେଟ୍ ରୁ ଶ୍ୱାସକ୍ରିୟା ଜନିତ ରୋଗରେ କୌଣସି ଉଲ୍ଲେଖନୀୟ ବୃଦ୍ଧି ଘଟିନଥିବା ସ୍ପଷ୍ଟ ହୋଇଛି।
ଅଧିକ ପଢ଼ନ୍ତୁ: ୧୬ ହଜାର ସନ୍ଦିଗ୍ଧ ବାଂଲାଦେଶୀଙ୍କ ତାଲିକା ପ୍ରସ୍ତୁତ କଲା ଦିଲ୍ଲୀ