ନୂଆଦିଲ୍ଲୀ: ଲଗାତାର ତୃତୀୟ ଦିନ ପାଇଁ ଦିଲ୍ଲୀ-ଏନସିଆରରେ ଘନ କୁହୁଡ଼ି ଲାଗି ରହିଛି। ଦିଲ୍ଲୀର ପାଲାମ ବିମାନବନ୍ଦରରେ ଆଜି ବି ଦୃଶ୍ୟମାନତା ଶୂନ ରେକର୍ଡ କରାଯାଇଛି। କୁହୁଡ଼ି ଓ ଖରାପ ପାଗ ଯୋଗୁଁ ସାରା ଦେଶରୁ ଦିଲ୍ଲୀ ଆସୁଥିବା ଅନେକ ଟ୍ରେନ୍ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଦିଲ୍ଲୀ ଏୟାରପୋର୍ଟର ଅନେକ ବିମାନ ଉପରେ ମଧ୍ୟ ଦେଖିବାକୁ ମିଳୁଛି। ଖରାପ ପାଗ ଯୋଗୁଁ ଶନିବାର ଦିଲ୍ଲୀ ବିମାନବନ୍ଦରରେ ୪୦୦ ବିମାନ ପ୍ରଭାବିତ ହୋଇଥିଲା।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, କେବଳ ଦିଲ୍ଲୀ ନୁହେଁ, ଦେଶର ଅନେକ ରାଜ୍ୟ କୁହୁଡ଼ିର ସମ୍ମୁଖୀନ ହେଉଛନ୍ତି। ରବିବାର ସକାଳେ ଦେଶର ୧୧ଟି ସ୍ଥାନରେ ଦୃଶ୍ୟମାନତା ଶୂନ ରେକର୍ଡ କରାଯାଇଛି। ଏଥିରେ ଦିଲ୍ଲୀର ପାଲାମ ବିମାନବନ୍ଦର, ଆଗ୍ରା ବିମାନବନ୍ଦର, ଗ୍ୱାଲିୟର ବିମାନବନ୍ଦର, ଗଙ୍ଗାନଗର, ବିକାନେର, ପଟିଆଲା, ଅମ୍ବାଲା, ବହରାଇଚ, ଝାନ୍ସୀ, ପୁରାଇନା ଏବଂ ସତନା ରହିଛି।
ଦିଲ୍ଲୀ ବିମାନବନ୍ଦରରେ ଅବତରଣ ଓ ଉଡ଼ାଣ ଜାରି ରହିଛି, କିନ୍ତୁ କ୍ୟାଟ୍-୩ ପାଳନ କରୁନଥିବା ବିମାନ ପ୍ରଭାବିତ ହୋଇପାରେ। ବିମାନ ର ଅପଡେଟ୍ ସୂଚନା ପାଇଁ ଯାତ୍ରୀମାନେ ସମ୍ପୃକ୍ତ ଏୟାରଲାଇନ୍ସ ସହ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।
ଘନକୁହୁଡ଼ି ଯୋଗୁଁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଲଗାତାର ତୃତୀୟ ଦିନ ପାଇଁ ବିମାନବନ୍ଦରରେ କୁହୁଡ଼ି ଯୋଗୁଁ ସମସ୍ୟା ଦେଖାଦେଇଥିଲା। ୧୨ ଘଣ୍ଟା ଧରି କୁହୁଡ଼ି ଘେରି ରହିଥିବାରୁ ଦୃଶ୍ୟମାନତା ଶୂନ ମିଟରକୁ ଖସି ଆସିଥିଲା। ଆରଭିଆର ୧୦୦ରୁ ୨୫୦ ମିଟର ମଧ୍ୟରେ ଥିଲା। କୁହୁଡ଼ି ଯୋଗୁଁ ଅନେକ ବିମାନ ବାତିଲ, ବିଳମ୍ବିତ କିମ୍ବା ଡାଇଭର୍ଟ ହୋଇଛି। ଶନିବାର ଦିଲ୍ଲୀରେ ଚଳିତ ଋତୁରେ ସବୁଠାରୁ ଅଧିକ ସମୟ ପାଇଁ ଶୂନ୍ୟ ଦୃଶ୍ୟମାନତା ରେକର୍ଡ କରାଯାଇଛି।
ଅଧିକ ପଢ଼ନ୍ତୁ: ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ ୪ ମାଓବାଦୀ ନିହତ