ସିରିୟା ସ୍ଥିତ ଇରାନ ଦୂତାବାସ ଉପରେ ଏୟାରଷ୍ଟ୍ରାଇକ୍ । ଏହି ଆକ୍ରମଣରେ ଦୂତାବାସ କାର୍ଯ୍ୟାଳୟରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଇରାନର ପାଖାପାଖି ୭ଜଣ ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ଏହି ଆକ୍ରମଣ ପାଇଁ ଇରାନ ଇସ୍ରାଏଲକୁ ଦାୟୀ କରିଥିବା ବେଳେ ଏନେଇ ଇସ୍ରାଏଲ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ ।
ଇସ୍ରାଏଲ, ଗାଜା ମଧ୍ୟରେ ଯୁଦ୍ଧ ସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି । ଏହାର ପ୍ରଭାବରେ ସମଗ୍ର ମଧ୍ୟପ୍ରାଚ୍ୟ ଦେଶରେ ଅସ୍ଥିରତା ଲାଗି ରହିଛି । ସୋମବାର ଦିନ ସିରିୟାର ରାଜଧାନୀ ଡମାସକସ ସହରରେ ଅବସ୍ଥିତ ଇରାନ ଦୂତାବାସ ଉପରେ ବୋମାମାଡ ହୋଇଛି । ଏହି ଭୟଙ୍କର ଆକ୍ରମଣରେ ଇରାନର ୭ ଜଣ ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଥିବା ନେଇ ଇରାନ ଓ ସିରିୟା ସରକାରୀ ସୂତ୍ରରୁ ପ୍ରକାଶ ପାଇଛି । ଦୂତାବାସ କାର୍ଯ୍ୟାଳୟ ମଧ୍ୟ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ତେବେ ଏହି ଆକ୍ରମଣ ପାଇଁ ଇସ୍ରାଏଲକୁ ଇରାନ ଓ ସିରିୟା ଦାୟୀ କରିଥିବା ବେଳେ ଇସ୍ରାଏଲ ପକ୍ଷରୁ ଏନେଇ ସ୍ପଷ୍ଟୀକରଣ ରଖାଯାଇନାହିଁ ।
ସିରିୟା ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ସୋମବାର ଦିନ ଡମାସକସର ମେଜେହ ଜିଲ୍ଲାରେ ଅବସ୍ଥିତ ଇରାନ ଦୂତାବାସ କାର୍ଯ୍ୟାଳୟକୁ ଇସ୍ରାଏଲ ଟାର୍ଗେଟ କରିଥିଲା । ସିରିୟାର ଏୟାର ଡିଫେନ୍ସ କିଛି ମିସାଇଲକୁ ମାରି ତଳକୁ ଖସାଇ ଦେଇଥିବା ବେଳେ କିଛି ରକେଟ କାର୍ଯ୍ୟାଳୟ ଉପରେ ପଡିଥିଲା । ଏହି ସମୟରେ କାର୍ଯ୍ୟାଳୟ ମଧ୍ୟରେ ଥିବା ଅଧିକାରୀଙ୍କ ମଧ୍ୟରୁ ଅନେକଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଆହତ ହୋଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୂତାବାସଟି ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି ।
ଅଧିକ ପଢ଼ନ୍ତୁ : ଚିଲିକା ମଝିରେ ଅଟକିଲା ଡଙ୍ଗା