ୱାଶିଂଟନ: ଆଜିଠାରୁ ଆମେରିକାରେ ପୁଣି ଥରେ ଆରମ୍ଭ ହୋଇଛି ଟ୍ରମ୍ପ ଶାସନ । ଆମେରିକାର ୪୭ତମ ରାଷ୍ଟ୍ରପତିଭାବେ ଶପଥ ଗ୍ରହଣ କରିଛନ୍ତି ଡୋନାଲ୍ଡ ଜେ ଟ୍ରମ୍ପ । ସେ ଦ୍ୱିତୀୟ ଥର ହ୍ୱାଇଟ୍ ହାଉସକୁ ଫେରିଛନ୍ତି । ପ୍ରବଳ ଶୀତ ଲହରି ଓ ତୁଷାରପାତ ଯୋଗୁଁ ସଂସଦ ଭବନ ପରିସରରେ ଟ୍ରମ୍ପଙ୍କ ଶପଥ ସମାରୋହ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ବିଚାରପତି ଜନ୍ ରୋବର୍ଟସ ଟ୍ରମ୍ପଙ୍କୁ ଶପଥପାଠ କରାଇଛନ୍ତି । ଉପ ରାଷ୍ଟ୍ରପତିଭାବେ ଜେଡୀ ବେଂସ୍ ମଧ୍ୟ ଶପଥ ନେଇଛନ୍ତି ।
ଅନେକ ବର୍ଷ ପରେ ପ୍ରଥମ ଥର ପାଇଁ ସଂସଦ ଭବନ ପରିସରରେ ରାଷ୍ଟ୍ରପତି ଶପଥ ଗ୍ରହଣ ଉତ୍ସବ ହୋଇଛି । ଏଥିରେ ବହୁ ଦିଗ୍ଗଜ ବ୍ୟକ୍ତିଙ୍କୁ ଦେଖିବାକୁ ମିଳିଛି । ଫେସବୁକ ଫାଉଣ୍ଡର ମାର୍କ ଜୁକରବର୍ଗ, ଆମାଜନ ପ୍ରତିଷ୍ଠାତା ଜେଫ୍ ବେଜୋସ୍, ଏକ୍ସର ପ୍ରତିଷ୍ଠାତା ଏଲନ୍ ମସ୍କ ପ୍ରମୁଖ ସାମିଲ ହୋଇଛନ୍ତି । ଏହି ଶପଥ ଉତ୍ସବରେ ଅନେକ ଦେଶର ବରିଷ୍ଠ ନେତୃବୃନ୍ଦ ସାମିଲ ହୋଇଛନ୍ତି । ଭାରତ ପକ୍ଷରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ସାମିଲ ହୋଇଥିଲେ ।
ଶପଥ ଗ୍ରହଣ ପରେ ଡୋନାଲ୍ଡ ଟ୍ରମ୍ପ ତାଙ୍କର ପ୍ରଥମ ଭାଷଣରେ ସମ୍ବୋଧନ କରି କହିଛନ୍ତି, 'ଆମେରିକାର ସୁବର୍ଣ୍ଣ ଯୁଗ ଆରମ୍ଭ ହୋଇଛି ।' ଆମେ ଆମର ସାର୍ବଭୌମତ୍ୱ ବଜାୟ ରଖିବୁ । ଦୁନିଆ ଆମକୁ ବ୍ୟବହାର କରିପାରିବ ନାହିଁ । ଆମେରିକାରେ ଆଉ କୌଣସି ଅନୁପ୍ରବେଶ ହେବ ନାହିଁ ।
ୱାଶିଂଟନର ସଡ଼କରେ ହଜାର ହଜାର ସଂଖ୍ୟାରେ ଟ୍ରମ୍ପଙ୍କ ସମର୍ଥକଙ୍କୁ ଦେଖିବାକୁ ମିଳିଥିଲା । ଟ୍ରମ୍ପଙ୍କ ନାମରେ ସ୍ୱତନ୍ତ୍ର କ୍ୟାପ୍ ପିନ୍ଧିଥିଲେ ଯେଉଁଥିରେ ଲେଖାଯାଇଛି MAGA/ମାଗା (Make America Great Again) । ସେହିପରି ୪୫-୪୭ଲେଖାଥିବା କ୍ୟାପ୍ ମଧ୍ୟ ପିନ୍ଧିଥିଲେ ସମର୍ଥକ । ଯାହାର ଅର୍ଥ ଆମେରିକାର ୪୫ତମ ଏବଂ ୪୭ତମ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ।