ପ୍ରୟାଗରାଜ: ଉତ୍ତର ପ୍ରଦେଶର ପ୍ରାୟାଗରାଜରେ ଚାଲିଛି ପୂର୍ଣ୍ଣ ମହାକୁମ୍ଭ ମେଳା । ୧୪୪ ବର୍ଷ ପରେ ଆସିଛି ଏହି ବିଶେଷ ମୁହୁର୍ତ୍ତ । ସାରା ବିଶ୍ୱ ଲୋକ ପବିତ୍ର ମହାକୁମ୍ଭରେ ବୁଡ଼ ପକାଇବାକୁ ଧାଇଁ ଆସୁଛନ୍ତି । ପ୍ରତ୍ୟେକ ଦିନ କୋଟି କୋଟି ଶ୍ରଦ୍ଧାଳୁ କରୁଛନ୍ତି ଅମୃତ ସ୍ନାନ । ଚଳିତ ମହାକୁମ୍ଭରେ ୪୦ କୋଟି ଶ୍ରଦ୍ଧାଳୁଙ୍କ ସମାଗମ ହେବ ବୋଲି ଆକଳନ କରାଯାଉଛି । କେବଳ ଭାରତ ନୁହେଁ ଦେଶ ବାହାରେ ମଧ୍ୟ ମହାକୁମ୍ଭ ମେଳା ଧ୍ୟାନ ଆକର୍ଷଣ କରିଛି । ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ପ୍ରଶଂସା କରାଯାଉଛି । ଏହାକୁ ଦୁନିଆର ସବୁଠାରୁ ବଡ଼ ଉତ୍ସବ ବୋଲି ଗଣମାଧ୍ୟମମାନେ କହୁଛନ୍ତି ।
ନ୍ୟୁୟର୍କ ଟାଇମସ୍, ବିବିସି, ଦ ଗାର୍ଡିୟନ୍, ସିଏନ୍ଏନ୍ ଓ ୱାଶିଂଟନ୍ ପୋଷ୍ଟ ଭଳି ପ୍ରମୁଖ ଗଣମାଧ୍ୟମ ମଧ୍ୟ ମହାକୁମ୍ଭର କଭରେଜ୍ କରୁଛନ୍ତି । ଏମିତି ପାକିସ୍ତାନ ଗଣମାଧ୍ୟମରେ ମଧ୍ୟ ଏହାକୁ ପ୍ରସାରିତ କରାଯାଉଛି । ନ୍ୟୁୟର୍କ ଟାଇମସ୍ ଏହାକୁ ଏକ ପବିତ୍ର ଆୟୋଜନଭାବେ ଅବିହିତ କରି ଦୁନିଆରୁ ସବୁଠାରୁ ବଡ଼ ଧାର୍ମିକ ଆୟୋଜନ ବୋଲି କହିଛି । ଯେଉଁଠାରେ ଧାର୍ମିକ, ରାଜନୈତିକ, ପର୍ୟ୍ୟଟକ, ଅଭିନେତା, ବଡ଼ ବଡ଼ ଅଧିକାରୀଙ୍କ ସମାଗମ ହେଉଛି । ଏଠାରେ ୪୦ କୋଟି ଶ୍ରଦ୍ଧାଳୁ ଏକାଠି ହେବେ ବୋଲି ଯାହା ଆକଳନ କରାଯାଉଛି, ତାହା ଆମେରିକାର ସମୁଦାୟ ଜନସଂଖ୍ୟାଠାରୁ ତାହା ଅଧିକ ଅଟେ ବୋଲି ନ୍ୟୁୟର୍କ ଟାଇମସ୍ କହିଛି ।
ସେହିପରି ବିବିସି \"ମାନବତାର ସର୍ବବୃହତ ସମାବେଶ\" ଭାବରେ ବର୍ଣ୍ଣନା କରିଛି । ଯାହା ମହାକାଶରୁ ମଧ୍ୟ ଦୃଶ୍ୟମାନ ହେଉଛି । ଭକ୍ତମାନଙ୍କ ପବିତ୍ର ସ୍ନାନ ଏବଂ ନାଗା ସାଧୁମାନଙ୍କ ଅନନ୍ୟ ଧାର୍ମିକ ପ୍ରଦର୍ଶନ ବିଷୟରେ ବର୍ଣ୍ଣନା କରିଛି । ଦ ଗାର୍ଡିୟନ ଗଣମାଧ୍ୟମ ଏହାକୁ ‘ଉତ୍ସବର ଉତ୍ସବ’ ବୋଲି କହିଛି । ଅନ୍ୟପକ୍ଷରେ ମୁକ୍ତି ପାଇବାର ଏହା ଏକ ପବିତ୍ର ଅନୁଷ୍ଠାନ ବୋଲି ୱାଶଂଟନ୍ ଡିସି କହିଛି ।