ଆମେରିକାର ୱାଶିଂଟନ୍ରେ ଥିବା ଇସ୍ରାଏଲ୍ ଦୂତାବାସ ସମ୍ମୁଖରେ ଜଣେ ବାୟୁସେନା ସୈନିକ ନିଜକୁ ନିଆଁ ଲଗାଇ ଦେଇଛନ୍ତି । ପୋଲିସର ସୂଚନାନୁସାରେ, ସମୟ ରବିବାର ଅପରାହ୍ନରେ ଏହି ଘଟଣା ଘଟିଛି । ଇସ୍ରାଏଲ୍ ଦୂତାବାସ ନିକଟରେ ଠିଆ ହୋଇଥିବା ବେଳେ ବ୍ୟକ୍ତି ଜଣକ ନିଜକୁ ନିଆଁ ଲଗାଇ ଦେଇଥିଲେ। ଏହା ପରେ ଆମେରିକାର ସିକ୍ରେଟ୍ ସର୍ଭିସ୍ ଅଧିକାରୀ ଏବଂ ଡିସି ଅଗ୍ନିଶମ ବାହିନୀ ନିଆଁ ଲିଭାଇ ଉକ୍ତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ଏବଂ ତାଙ୍କ ଅବସ୍ଥା ଗୁରୁତର ରହିଛି। ନିଜକୁ ନିଆଁ ଲଗାଇ ଦେଇଥିବା ବ୍ୟକ୍ତିଙ୍କ ନାମ ଆରୋନ ବୁଶନେଲ ବୋଲି କୁହାଯାଉଛି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ ଏହି ବ୍ୟକ୍ତି ଆମେରିକାର ବାୟୁସେନାର ଜଣେ ସକ୍ରିୟ ସୈନିକ ରୂପେ କାମ କରୁଛନ୍ତି ।
ଭାଇରାଲ ହୋଇଥିବା ଏହି ଘଟଣାର ଭିଡିଓରେ ଦେଖିବାକୁ ମିଳିଛି ଯେ ଆରୋନ ପ୍ରଥମେ ରେକର୍ଡିଂ ଉପକରଣକୁ ଇସ୍ରାଏଲ୍ ଦୂତାବାସ ସାମ୍ନାରେ ରଖିଛନ୍ତି। ଏହା ପରେ ସେ ପାଲେଷ୍ଟାଇନକୁ ମୁକ୍ତ କରିବାକୁ ସ୍ଲୋଗାନ ଦେଇ ନିଜ ଉପରେ କିଛି ତରଳ ପଦାର୍ଥ ଛିଞ୍ଚି ନିଆଁ ଲଗାଇ ଦେଇଛନ୍ତି । ଘଟଣା ପରେ ପୋଲିସ କର୍ମଚାରୀମାନେ ଆରୋନଙ୍କ ପାଖକୁ ଯାଇ ନିଆଁ ଲିଭାଇବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି।
ଖବର ଅନୁଯାୟୀ, ଆରୋନ ନିଜେ ଲାଇଭ୍ ଷ୍ଟ୍ରିମିଂ କରିଥିଲେ। ଟ୍ୱିଚ୍ ପ୍ଲାଟଫର୍ମରେ ଭାଇରାଲ ହେବା ପରେ ଏହି ଭିଡିଓକୁ ଅନେକ ଚ୍ୟାନେଲରୁ ହଟାଇ ଦିଆଯାଇଛି। ଏହି ଘଟଣାର ତଦନ୍ତ କରାଯିବ ବୋଲି ଆମେରିକାର ସିକ୍ରେଟ୍ ସର୍ଭିସ ଏବଂ ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି । ଆରୋନ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି, କିନ୍ତୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି ।
ଅଧିକ ପଢନ୍ତୁ : ନ୍ୟୁୟର୍କରେ ଅଗ୍ନିକାଣ୍ଡ: ଭାରତୀୟ ସାମ୍ବାଦିକଙ୍କ ମୃତ୍ୟୁ