ପ୍ରଥମଥର ପାଇଁ ଭାରତର ଜାତୀୟ ମେଡିକାଲ କମିଶନ ବା (ଏନ୍ଏମ୍ସି)କୁ ୧୦ ବର୍ଷ ଲାଗି ୱାର୍ଲଡ ଫେଡେରେସନ ଅଫ୍ ମେଡିକାଲ ଏଜୁକେଶନ (ଡବ୍ଲ୍ୟୁଏଫଏମ୍ଇ) ସ୍ବୀକୃତି ମିଳିଛି ।
ଫଳରେ ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ଭାରତୀୟ ମେଡିକାଲ ସ୍ନାତକ ଡିଗ୍ରୀଧାରୀ ଆମେରିକା, କାନାଡା, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଭଳି ଦେଶରେ ସ୍ନାତକୋତ୍ତର ଡିଗ୍ରୀ କରିବା ସହ ସେଠାରେ ପ୍ରାକ୍ଟିସ୍ ମଧ୍ୟ କରିପାରିବେ । ସୂଚନା ଅନୁସାରେ , କେନ୍ଦ୍ରସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆଜି ଏକ ବିବୃତ୍ତିରେ ଏହି ସୂଚନା ଦିଆଯାଇଛି । ଡବ୍ଲ୍ୟୁଏଫଏମ୍ଇ ସ୍ବୀକୃତି ଫଳରେ ଭାରତରେ ବର୍ତ୍ତମାନ ଏନ୍ଏମ୍ସି ଅଧୀନରେ କାର୍ଯ୍ୟକ୍ଷମ ହେଉଥିବା ୭୦୬ ମେଡିକାଲ କଲେଜକୁ ଔପଚାରିକ ଭାବେ ମାନ୍ୟତା ମିଳିଛି । କେବଳ ଏତିକି ନୁହେଁ, ଆଗାମୀ ୧୦ ବର୍ଷ ଧରି ଭାରତରେ ପ୍ରତିଷ୍ଠା ହେବାକୁ ଥିବା ନୂଆ ମେଡିକାଲ କଲେଜକୁ ମଧ୍ୟ ସ୍ୱତଃ ଡବ୍ଲ୍ୟୁଏଫଏମ୍ଇ ମାନ୍ୟତା ମିଳିଯିବ । ବିଶ୍ୱସ୍ତରରେ ଏନ୍ଏମ୍ସିକୁ ସ୍ବୀକୃତି ମିଳିଥିବାରୁ ଡାକ୍ତରୀ ଶିକ୍ଷାଲାଭ କରିବାକୁ ଚାହୁଁଥିବା ଆନ୍ତର୍ଜାତିକ ଛାତ୍ରଛାତ୍ରୀଙ୍କ ପାଇଁ ଭାରତ ଆକର୍ଷଣର କେନ୍ଦ୍ର ପାଲଟିବ ବୋଲି ଆଶା କରାଯାଉଛି । ବିଶ୍ବସ୍ତରରେ ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ରହିଥିବା ପ୍ରାକ୍ଟିସ ବ୍ୟବସ୍ଥା ଓ ମାନଦଣ୍ଡକୁ ଆଧାର କରି ଭାରତରେ ମଧ୍ୟ ମେଡିକାଲ ଶିକ୍ଷାରେ ଉନ୍ନତି ଅଣାଯାଇପାରିବ । ଭାରତର ୭୦୬ ମେଡିକାଲ କଲେଜକୁ ଡବ୍ଲ୍ୟୁଏଫଏମ୍ଇ ମାନ୍ୟତା ପାଇବା ଲାଗି ଆବେଦନ କରିବାର ମୋଟ ଖର୍ଚ୍ଚର ପରିମାଣ ହେଉଛି ୩୫୩.୯ କୋଟି ବୋଲି ଜଣାପଡିଛି ।
ଆଗକୁ ପଢନ୍ତୁ :- ଠାବ ହେଲା ୫ ଲକ୍ଷ ବର୍ଷ ତଳର ପୁରୁଣା କାଠ