ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଇସ୍ରାଏଲ ଓ ଇରାନ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ବେଳେ ଭାରତୀୟ ନୌସେନାର ପ୍ରଥମ ଟ୍ରେନିଂ ସ୍କ୍ୱାଡ୍ରନ୍ (୧ଟିଏସ୍) ଜାହାଜ ତୀର, ଶାର୍ଦ୍ଦୁଲ ଓ ତଟରକ୍ଷୀ ଜାହାଜ ବୀରା ଓମାନର ରାଜଧାନୀ ମସ୍କଟରେ ପହଞ୍ଚିଛି। ଏହା ଦ୍ୱାରା ସାମୁଦ୍ରିକ କ୍ଷେତ୍ରରେ ଭାରତ ଓ ଓମାନ ମଧ୍ୟରେ ପ୍ରତିରକ୍ଷା ସମ୍ପର୍କ ଆହୁରି ସୁଦୃଢ଼ ହେବ।
ଅକ୍ଟୋବର ୫ରୁ ୯ ତାରିଖ ପର୍ଯ୍ୟନ୍ତ ଭାରତୀୟ ନୌସେନା ଓମାନର ରୟାଲ ନୌସେନା ସହ ସାମୁଦ୍ରିକ ନିରାପତ୍ତା ଏବଂ ବନ୍ଦରଗୁଡ଼ିକରେ ମିଳିତ ଅଭ୍ୟାସ ସମେତ ଆନ୍ତଃ-ପରିଚାଳନାର ବିଭିନ୍ନ ଦିଗ ଉପରେ ଆଲୋଚନା କରିବ। ଗତ ୧୦ ବର୍ଷ ମଧ୍ୟରେ ଓମାନରେ ଏହା ତୃତୀୟ ଥର ପାଇଁ ୧ଟିଏସ୍ ମୁତୟନ କରାଯାଇଛି। ଦକ୍ଷିଣ ନୌସେନା କମାଣ୍ଡ ଫ୍ଲାଗ ଅଫିସର କମାଣ୍ଡିଂ-ଇନ୍-ଚିଫ୍ ଭି ଶ୍ରୀନିବାସ ଅକ୍ଟୋବର ୬ରୁ ୯ ତାରିଖ ପର୍ଯ୍ୟନ୍ତ ଓମାନ ଗସ୍ତରେ ଯିବେ।
ଏହି ଗସ୍ତ ସମୟରେ ସେ ଚିଫ୍ ଅଫ୍ ଷ୍ଟାଫ୍ ସୁଲତାନ୍ ଆର୍ମଡ୍ ଫୋର୍ସ (କୋସାଫ୍) ଅବଦୁଲ୍ଲା ବିନ୍ ଅବଦୁଲ୍ଲା ଅଲ୍ ରାଇସି ଏବଂ ଓମାନର ରୟାଲ୍ ନେଭି (ସିଆର୍ଏନ୍ଓ)ର କମାଣ୍ଡର୍ ସୈଫ୍ ବିନ୍ ନାସିର ବିନ୍ ମୋହସେନ୍ ଅଲ୍-ରହବିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ।
ଶ୍ରୀନିବାସ ଓମାନର ପ୍ରମୁଖ ପ୍ରତିରକ୍ଷା ଏବଂ ପ୍ରଶିକ୍ଷଣ ପ୍ରତିଷ୍ଠାନ ପରିଦର୍ଶନ କରିବେ। ଭାରତୀୟ ନୌସେନା ଏବଂ ଓମାନର ରୟାଲ ନୌସେନା ବିଭିନ୍ନ କ୍ଷେତ୍ରରେ ପରସ୍ପରକୁ ସହଯୋଗ କରିଥାନ୍ତି। ନିକଟରେ ନୂଆଦିଲ୍ଲୀରେ ଭାରତୀୟ ନୌସେନା ଏବଂ ଓମାନର ରୟାଲ ନୌସେନା କର୍ମଚାରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା।
ଅଧିକ ପଢ଼ନ୍ତୁ: ଲେବାନନ୍ରେ ହିଜବୁଲ୍ଲାର ଅସ୍ତ୍ରଶସ୍ତ୍ର ଗୋଦାମ ଉପରେ ବୋମାମାଡ଼