ନୂଆଦିଲ୍ଲୀ: ଚନ୍ଦ୍ରରେ ପରମାଣୁ ଶକ୍ତି କେନ୍ଦ୍ର ନିର୍ମାଣ କରିବାକୁ ଯାଉଛି ରୁଷିଆ। ଖାସ୍ କଥା ହେଉଛି ଏହି ପ୍ରକଳ୍ପରେ ରୁଷ୍ ସହ ହାତ ମିଳାଇବାକୁ ମଧ୍ୟ ଭାରତ ପ୍ରସ୍ତୁତ ରହିଛି। ରୁଷିଆର ଏହି ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପ ପାଇଁ ଭାରତ ଗଭୀର ଆଗ୍ରହ ପ୍ରକାଶ କରିଛି। ଏହି ରୁଷିଆ ପ୍ରକଳ୍ପର ଉଦ୍ଦେଶ୍ୟ ହେଉଛି ଚନ୍ଦ୍ରରେ ନିର୍ମାଣ ହେବାକୁ ଥିବା ବେସକୁ ଶକ୍ତି ଯୋଗାଣ କରିବା। ରୁଷିଆ ଓ ଭାରତ ସହିତ ଚୀନମଧ୍ୟ ଏଥିରେ ସାମିଲ ହେବାକୁ ଆଗ୍ରହୀ।
ଋଷର ରାଷ୍ଟ୍ରାୟତ୍ତ ପରମାଣୁ ନିଗମ ରୋସାଟମ୍ ଏହି ପ୍ରକଳ୍ପର ନେତୃତ୍ୱ ନେଉଛି। ଚନ୍ଦ୍ରରେ ନିର୍ମିତ ହେବାକୁ ଥିବା ପ୍ରଥମ ଆଣବିକ ଶକ୍ତି କେନ୍ଦ୍ରଅଧା ମେଗାୱାଟ ବିଦ୍ୟୁତଉତ୍ପାଦନ କରିବ ଏବଂ ଏହି ବିଜୁଳି ଚନ୍ଦ୍ରରେ ନିର୍ମିତ ବେସକୁ ପଠାଯିବ।
ରିପୋର୍ଟ ଅନୁଯାୟୀ, ରୋଜାଟମ୍ ମୁଖ୍ୟ ଆଲେକ୍ସି ଲିଖାଚେଭ୍ କହିଛନ୍ତି ଯେ ଚୀନ୍ ଏବଂ ଭାରତ ଅନ୍ତର୍ଜାତୀୟ ସମୁଦାୟ ସହିତ ଏହି ପ୍ରକଳ୍ପ ପାଇଁ ବହୁତ ଆଗ୍ରହ ଦେଖାଇଛନ୍ତି। ଋଷର ମହାକାଶ ଏଜେନ୍ସି ରୋସ୍କୋସ୍ମୋସ୍ ଘୋଷଣା କରିଛି ଯେ ଚନ୍ଦ୍ରରେ ପରମାଣୁ ଶକ୍ତି କେନ୍ଦ୍ର ନିର୍ମାଣ ପାଇଁ କାର୍ଯ୍ୟ ଚାଲିଛି। ଏଥିରେ ରୁଷ୍ ଓ ଚୀନ୍ ମିଳିତ ଭାବେ ସାମିଲ ହୋଇଛନ୍ତି। ୨୦୩୬ ସୁଦ୍ଧା ଏହାକୁ ଚନ୍ଦ୍ରରେ ସ୍ଥାପନ କରାଯିବ।
ଚନ୍ଦ୍ରରେ ନିର୍ମିତ ହେବାକୁ ଥିବା ରୁଷର ପ୍ରଥମ ପରମାଣୁ କାରଖାନା ମଧ୍ୟ ଭାରତ ପାଇଁ ସ୍ୱତନ୍ତ୍ର। ୨୦୪୦ ସୁଦ୍ଧା ଚନ୍ଦ୍ରକୁ ମଣିଷ ପଠାଇବାକୁ ଭାରତ ଯୋଜନା କରିଛି। ଏଭଳି ସ୍ଥିତିରେ ଏହି ପ୍ଲାଣ୍ଟ ସେଠାକାର ଶକ୍ତି ଆବଶ୍ୟକତା ପୂରଣ କରିପାରିବ। ୨୦୨୧ରେ ରୁଷିଆ ଏବଂ ଚୀନ୍ ମିଳିତ ଭାବେ ଏକ ଅନ୍ତର୍ଜାତୀୟ ଲୁନାର ରିସର୍ଚ୍ଚ ଷ୍ଟେସନ୍ ନିର୍ମାଣ କରିବାକୁ ଘୋଷଣା କରିଥିଲେ।
କୁହାଯାଉଛି ଯେ ଏହି ଷ୍ଟେସନ ୨୦୩୫ରୁ ୨୦୪୫ ମଧ୍ୟରେ ଯେକୌଣସି ସମୟରେ ଆରମ୍ଭ ହୋଇପାରିବ। ବୈଜ୍ଞାନିକ ଗବେଷଣା କରିବା ହେଉଛି ଏହି ଷ୍ଟେସନର ଉଦ୍ଦେଶ୍ୟ। ଅଧିକାଂଶ ଦେଶ ଏହାକୁ ବ୍ୟବହାର କରିପାରିବେ। କିନ୍ତୁ ଆମେରିକାର କିଛି ସହଯୋଗୀ ଏଥିରୁ ଉପକୃତ ହୋଇପାରିବେ ନାହିଁ। ଏଭଳି ସ୍ଥିତିରେ ରୁଷିଆର ସହଯୋଗୀ ହୋଇ ଭାରତ ଏହାର ଫାଇଦା ଉଠାଇପାରିବ। ୨୦୫୦ ସୁଦ୍ଧା ଭାରତ ମଧ୍ୟ ଚନ୍ଦ୍ରରେ ବେସ୍ ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛି।