ସିଡନୀ: ଅଷ୍ଟ୍ରେଲିଆର କେର୍ନସ ସହରରେ ହୋଟେଲର ଛାତ ଉପରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଅଭାବନୀୟ ଘଟଣା ପରେ ପୁଲିସ ସଙ୍ଗେ ସଙ୍ଗେ ପୂରା ହୋଟେଲକୁ ଖାଲି କରିଦେଇଥିଲା। ପାଖାପାଖି ୪୦୦ ଲୋକଙ୍କୁ ଉଦ୍ଧାର କରାଯାଇଛି। ଅଷ୍ଟ୍ରେଲୀୟ ଗଣମାଧ୍ୟମ ଅନୁଯାୟୀ ଏହି ଦୁର୍ଘଟଣାରେ ପାଇଲଟ ଏବଂ ବିମାନରେ ଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। କେର୍ନସ ଅଷ୍ଟ୍ରେଲିଆର ପ୍ରମୁଖ ପର୍ଯ୍ୟଟନ ସହର ଭାବେ ପରିଚିତ। ଏହାକୁ ଅଷ୍ଟ୍ରେଲିଆର ଗ୍ରେଟ୍ ବ୍ୟାରିୟର ରିଫ୍ର ପ୍ରବେଶ ଦ୍ୱାର ବୋଲି ବିବେଚନା କରାଯାଏ।
ଏକ ହେଲିକପ୍ଟର ହୋଟେଲ ଛାତକୁ ଧକ୍କା ଦେବା ପରେ ଶତାଧିକ ହୋଟେଲ ଅତିଥିଙ୍କୁ ସ୍ଥାନାନ୍ତର କରାଯାଇଛି। କେର୍ନସର ହିଲ୍ଟନ୍ ଡବଲ୍ ଟ୍ରି ହୋଟେଲରେ ଦୁର୍ଘଟଣା ଘଟିବା ପରେ ସୋମବାର ଅପରାହ୍ନ ପ୍ରାୟ ୨ଟା ବେଳେ ଜରୁରୀକାଳୀନ କର୍ମଚାରୀଙ୍କୁ ଡକାଯାଇଥିଲା। କ୍ୱିନ୍ସଲାଣ୍ଡ ଷ୍ଟେଟ୍ ପୁଲିସ ଏକ ବିବୃତ୍ତିରେ କହିଛି ଯେ ସତର୍କତା ମୂଳକ ଭାବେ କୋଠାକୁ ଖାଲି କରାଯାଇଛି ଏବଂ ସ୍ଥଳଭାଗରେ ଥିବା କେହି ଆହତ ହୋଇନାହାନ୍ତି। କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଛି ସେ ନେଇ ପୁଲିସ ତଦନ୍ତ ଚଳାଇଛି।
ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ ହୋଟେଲଛାତରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ଅଷ୍ଟ୍ରେଲୀୟ ମିଡିଆ ରିପୋର୍ଟ ଅନୁଯାୟୀ, ହେଲିକପ୍ଟରର ଦୁଇଟି ପ୍ରୋପେଲର୍ ଭାଙ୍ଗିଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ହୋଟେଲର ପୋଖରୀରେ ଖସି ପଡ଼ିଥିଲେ।