ବେରୁତ: ଇସ୍ରାଏଲ-ହେଜବୁଲ୍ଲା ଅସ୍ତ୍ରବିରତି ପାଇଁ ରାଜି ହୋଇଛନ୍ତି। ଏହି ଚୁକ୍ତି ନଭେମ୍ବର ୨୭ ତାରିଖ ମଧ୍ୟରାତ୍ରିରେ (ଇସ୍ରାଏଲ ସମୟ) କାର୍ଯ୍ୟକାରୀ ହେବ। ସରକାରଙ୍କ ଅଧୀନରେ ଥିବା ଦେଶର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା ଇସ୍ରାଏଲସୁରକ୍ଷା କ୍ୟାବିନେଟ୍ ଅସ୍ତ୍ରବିରତି ପାଇଁ ରାଜି ହୋଇଛି। ବୁଝାମଣା ପରେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ଅସ୍ତ୍ରବିରତିର ଅବଧି ଲେବାନନରେ କ'ଣ ହେବ ତାହା ଉପରେ ନିର୍ଭର କରେ। ଆମେ ଚୁକ୍ତିକୁ କାର୍ଯ୍ୟକାରୀ କରିବୁ ଏବଂ କୌଣସି ଉଲ୍ଲଂଘନ କଲେ ଦୃଢ଼ ଜବାବ ଦେବୁ। ବିଜୟ ପର୍ଯ୍ୟନ୍ତ ଆମେ ଏକଜୁଟ ରହିବୁ।
ସେପଟେ ଅସ୍ତ୍ରବିରତି ଆଶା ବଢୁଥିବା ବେଳେ ମଙ୍ଗଳବାର ଲେବାନନର ରାଜଧାନୀ ବେରୁତରେ ଇସ୍ରାଏଲର ଲଢୁଆ ବିମାନ ଅନେକ ଟାର୍ଗେଟଉପରେ ବୋମା ମାଡ଼ କରିଛି। ଇସ୍ରାଏଲ କ୍ୟାବିନେଟ୍ ବୈଠକ ପୂର୍ବରୁ ଏହି ଆକ୍ରମଣ କରାଯାଇଥିଲା। ଆମେରିକାର ମଧ୍ୟସ୍ଥତା ସହ ବୁଝାମଣା କରିବାକୁ ପ୍ରୟାସ କରାଯାଉଛି।
ଇସ୍ରାଏଲର ଜଣେ ବରିଷ୍ଠ ଅଧିକାରୀ ତଥା ଲେବାନନର ବୈଦେଶିକ ମନ୍ତ୍ରୀ ଅବଦୁଲ୍ଲା ହବିବ ଏକ ବୁଝାମଣା ର ସମ୍ଭାବନା ପ୍ରକାଶ କରିଛନ୍ତି। ଏହା ଦ୍ୱାରା ଇସ୍ରାଏଲ-ହିଜବୁଲ୍ଲା ବିବାଦର ଅନ୍ତ ଘଟିପାରେ। ତେବେ ଅସ୍ତ୍ରବିରତି ସତ୍ତ୍ୱେ ହେଜବୁଲ୍ଲାର ବରିଷ୍ଠ ଅଧିକାରୀ ତଥା ସାଂସଦ ହାସନ ଫଦଲ୍ଲା କହିଛନ୍ତି ଯେ ତାଙ୍କ ଗୋଷ୍ଠୀ ସକ୍ରିୟ ରହିବ। ୟୁରୋପୀୟ ସଂଘ (ଇୟୁ)ର ବୈଦେଶିକ ନୀତି ମୁଖ୍ୟ ଜୋସେଫ୍ ବୋରେଲ୍ ଇସ୍ରାଏଲକୁ ଅସ୍ତ୍ରବିରତି ଚୁକ୍ତିକୁ ଗ୍ରହଣ କରିବାକୁ ନିବେଦନ କରିଛନ୍ତି।
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି, ଆଜି ମଧ୍ୟପ୍ରାଚ୍ୟରୁ ରିପୋର୍ଟ କରିବାକୁ ମୋ ପାଖରେ ଖୁସି ଖବର ଅଛି। ମୁଁ ଲେବନାନ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଛି ଏବଂ ମୁଁ ଏହା ଘୋଷଣା କରି ଆନନ୍ଦିତ ଯେ ସେମାନେ ଇସ୍ରାଏଲ ଏବଂ ହେଜବୁଲ୍ଲା ମଧ୍ୟରେ ବିନାଶକାରୀ ସଂଘର୍ଷର ଅନ୍ତ ପାଇଁ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରସ୍ତାବକୁ ଗ୍ରହଣ କରିଛନ୍ତି।
ଜି-୭ ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ଲେବାନନରେ ଅସ୍ତ୍ରବିରତି ବୁଝାମଣାର ସମୟ ଆସିଛି। ଇତି ମଧ୍ୟରେ ଇସ୍ରାଏଲ ବେରୁତର ଦକ୍ଷିଣ ଉପକଣ୍ଠର ବିଭିନ୍ନ ସ୍ଥାନରେ ଏୟାର ଷ୍ଟ୍ରାଇକ୍ କରିଛି। ଏହି ଜନବହୁଳ ଅଞ୍ଚଳକୁ ହେଜବୁଲ୍ଲାର ଗଡ଼ ବୋଲି କୁହାଯାଏ।
ଅଧିକ ପଢ଼ନ୍ତୁ: ଏହି ସବୁ ଦେଶ ବିପକ୍ଷରେ ବଡ଼ ପଦକ୍ଷେପ ନେବେ ଟ୍ରମ୍ପ