ଢାକା/ନୂଆଦିଲ୍ଲୀ: ହିନ୍ଦୁ ସଂଗଠନର ନେତା ତଥା ଇସ୍କନ ଟ୍ରଷ୍ଟର ସମ୍ପାଦକ ଚିନ୍ମୟ କୃଷ୍ଣ ଦାସ ବ୍ରହ୍ମଚାରୀଙ୍କୁ ବାଂଲାଦେଶ ପୁଲିସ ସୋମବାର ଢାକାରୁ ଗିରଫ କରିଛି। ହିନ୍ଦୁ ସମ୍ପ୍ରଦାୟର ଲୋକମାନେ ତାଙ୍କ ଗିରଫଦାରୀକୁ ବିରୋଧ କରିବା ସହ ତାଙ୍କୁ ତୁରନ୍ତ ମୁକ୍ତ କରିବାକୁ ଦାବି କରିଥିଲେ। ଏହି ସମୟରେ ହିନ୍ଦୁ ବିକ୍ଷୋଭକାରୀଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା। ଏହି ଘଟଣାରେ ଜଣେ ପ୍ରଫେସର ଆହତ ହୋଇଥିବା ସୂଚନା ମିଳିଛି। ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହୋଇଥିବା ଆକ୍ରମଣ ବିରୋଧରେ ଚିନ୍ମୟ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସୂଚନା ଅନୁଯାୟୀ, ଚିନ୍ମୟଙ୍କୁ ଦେଶଦ୍ରୋହ ମାମଲାରେ ଗିରଫ କରାଯାଇଛି।
ପୁଲିସ ମୁଖପାତ୍ର ରେଜାଉଲ କରିମ୍ କହିଛନ୍ତି ଯେ ଚିନ୍ମୟଙ୍କୁ ଢାକାର ହଜରତ ଶାହଜାଲାଲ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଗିରଫ କରାଯାଇଛି। ତେବେ କେଉଁ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି ସେ ସମ୍ପର୍କରେ ସେ କୌଣସି ସୂଚନା ଦେଇନାହାନ୍ତି। ବଙ୍ଗଳା ଭାଷାର ଖବରକାଗଜ 'ପ୍ରୋଥମ୍ ଆଲୋ' ରିପୋର୍ଟ କରିଛି ଯେ ଦାସ ଇସ୍କନ ଟ୍ରଷ୍ଟର ନେତା ଥିଲେ। ନିକଟରେ ତାଙ୍କୁ ସେଠାରୁ ବହିଷ୍କାର କରାଯାଇଥିଲା।
ଇସ୍କନ୍ ବାଂଲାଦେଶର ଅନ୍ୟତମ ପ୍ରମୁଖ ନେତା ଚିନ୍ମୟ କ୍ରିଷ୍ଣା ଦାସଙ୍କୁ ଢାକା ପୁଲିସ ଅଟକ ରଖିଥିବା ଖବର ମିଳିଛି। ଆତଙ୍କବାଦ ସହ ଇସ୍କନର କୌଣସି ସମ୍ପର୍କ ଅଛି ବୋଲି ଭିତ୍ତିହୀନ ଅଭିଯୋଗ କରିବା ଅତ୍ୟନ୍ତ ଅପମାନଜନକ। ତୁରନ୍ତ ପଦକ୍ଷେପ ନେବା ସହ ବାଂଲାଦେଶ ସରକାରଙ୍କ ସହ ଆଲୋଚନା କରିବାକୁ ଇସ୍କନ ଭାରତ ସରକାରଙ୍କୁ ଅନୁରୋଧ କରିଛି।
ତେବେ ବାଂଲାଦେଶରେ ଥିବା ଇସ୍କନ ନେତାମାନେ ତୁରନ୍ତ ପ୍ରତିକ୍ରିୟା ପାଇଁ ଉପଲବ୍ଧ ହୋଇନଥିଲେ ମଧ୍ୟ ବାଂଲାଦେଶ ହିନ୍ଦୁ ବୌଦ୍ଧ ଖ୍ରୀଷ୍ଟିଆନ ଏକତା ପରିଷଦ ସେମାନଙ୍କ ଗିରଫଦାରୀକୁ ନିନ୍ଦା କରି କହିଛି ଯେ ଏହା ବିଦେଶରେ ଦେଶର ଭାବମୂର୍ତ୍ତିକୁ ଖରାପ କରିବ।
ଅନ୍ୟପକ୍ଷରେ ସନାତନୀ ଯୋତର ମୁଖ୍ୟ ଆୟୋଜକ ଗୌରାଙ୍ଗ ଦାସ ବ୍ରହ୍ମଚାରୀ ଏକ ନ୍ୟୁଜ୍ ପୋର୍ଟାଲକୁ କହିଛନ୍ତି ଯେ ଚିନ୍ମୟ ଢାକାରୁ ଚଟ୍ଟୋଗ୍ରାମ ଅଭିମୁଖେ ଯାତ୍ରା କରିବାର ଥିଲା। ଅକ୍ଟୋବର ୩୦ରେ ହିନ୍ଦୁ ସମ୍ପ୍ରଦାୟର ଏକ ରାଲି ସମୟରେ ଚଟ୍ଟୋଗ୍ରାମର ନ୍ୟୁ ମାର୍କେଟ ଅଞ୍ଚଳରେ ବାଂଲାଦେଶର ଜାତୀୟ ପତାକାକୁ ଅପମାନିତ କରିଥିବା ଅଭିଯୋଗରେ ଚଟ୍ଟୋଗ୍ରାମର କୋତୱାଲି ଥାନାରେ ଚିନ୍ମୟଙ୍କ ସମେତ ୧୯ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।
ଅନ୍ୟପକ୍ଷରେ ଚିନ୍ମୟଙ୍କୁ ତୁରନ୍ତ ମୁକ୍ତ କରିବା ଦାବିରେ ବନ୍ଦର ସହରର ଚେରାଗି ପାହାଡ଼ ଛକରେ ହିନ୍ଦୁ ସମ୍ପ୍ରଦାୟର ଶତାଧିକ ଲୋକ ରାସ୍ତାକୁ ଓହ୍ଲାଇଥିଲେ। ଗିରଫକୁ ବିରୋଧ କରି ରାଜଧାନୀରେ ହିନ୍ଦୁ ସମ୍ପ୍ରଦାୟର ଲୋକେ ବିଳମ୍ବିତ ସନ୍ଧ୍ୟାରେ ଶାହାବାଗ ଛକ ଅବରୋଧ କରିଥିଲେ। ସୋମବାର ବିଳମ୍ବିତ ରାତିରେ ଇଣ୍ଟରନେଟ ମିଡିଆରେ ଭାଇରାଲ ହୋଇଥିବା ଅନେକ ଭିଡିଓରେ ଦେଖିବାକୁ ମିଳିଛି ଯେ ଚେରାଗି ଛକ ଆଡକୁ ଯାଉଥିବା ବିକ୍ଷୋଭକାରୀଙ୍କୁ ବାଂଲାଦେଶୀ ପୁଲିସ ଟାର୍ଗେଟ କରୁଛି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବରିଷ୍ଠ ପରାମର୍ଶଦାତା କାଞ୍ଚନ ଗୁପ୍ତା ମଧ୍ୟ ହିଂସାତ୍ମକ ଆକ୍ରମଣ ପରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଜଣେ ହିନ୍ଦୁ ବିକ୍ଷୋଭକାରୀଙ୍କ ଫଟୋ ପୋଷ୍ଟ କରିଛନ୍ତି।
ଅଧିକ ପଢ଼ନ୍ତୁ: ବାଂଲାଦେଶରେ ଇସ୍କନ ସଦସ୍ୟ ଚିନ୍ମୟ କୃଷ୍ଣା ଦାସ ଗିରଫ