ନୂଆଦିଲ୍ଲୀ/ଆପୁଲିଆ: ଲୋକସଭା ନିର୍ବାଚନରେ କ୍ରମାଗତ ୩ୟ ଥର ପାଇଁ ବିଜୟଲାଭ କରି ଇତିହାସ ରଚିଲା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଥର ବିଦେଶ ଯାତ୍ରା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଗୁରୁବାର ରାତି (ସ୍ଥାନୀୟ ସମୟ) ଜି-୭ ସମ୍ମିଳନୀରେ ଯୋଗଦେବା ପାଇଁ ଇଟାଲିରେ ପହଞ୍ଚି ସାରିଛନ୍ତି। ସେ ଆପୁଲିଆର ବ୍ରିନ୍ଦିସି ବିମାନବନ୍ଦରରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ତାଙ୍କୁ ଇଟାଲିରେ ଭାରତୀୟ ରାଷ୍ଟ୍ରଦୂତ ବାଣୀ ରାଓ ସ୍ବାଗତ କରିଥିଲେ। ଏହି ଅବସରରେ ଇଟାଲି ସରକାରଙ୍କ ମନ୍ତ୍ରୀ ଓ ପ୍ରଶାସକ ମଧ୍ୟ ଉପସ୍ଥିତ ଥିଲେ।
ବିଦେଶ ସଚିବ ବିନୟ କ୍ବାତ୍ରା ନୂଆଦିଲ୍ଲୀରେ କହିଛନ୍ତି, ଶୁକ୍ରବାର ଠାରୁ ଆୟୋଜନ ହେବାକୁ ଥିବା ଜି-୭ ସମ୍ମିଳନୀକୁ ଏକ ଆଉଟରିଚ ଦେଶ ଭାବେ ଭାରତକୁ ନିମନ୍ତ୍ରଣ ମିଳିଛି। ସେ କହିଛନ୍ତି, ଏହି ତିନିଦିନିଆ ଯାତ୍ରା ଭାରତ ଓ ଗ୍ଲୋବାଲ ସାଉଥ ପାଇଁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ବିଶ୍ବସ୍ତରୀୟ ନେତାଙ୍କ ସହିତ ସଂପର୍କ ସୁଦୃଢ଼ କରିବାକୁ ଅପୂର୍ବ ସୁଯୋଗ। ଏହି ସମ୍ମିଳନୀରେ ଭାରତର ଏହା ୧୧ତମ ଓ ମୋଦୀଙ୍କ ଲଗାତାର ୫ମ ଉପସ୍ଥିତି ହେବ। ପ୍ରଧାନମନ୍ତ୍ରୀ ମୋଦୀ ଜି-୭ ଦେଶଗୁଡ଼ିକର ନେତାମାନଙ୍କ ସହିତ ଦ୍ବିପାକ୍ଷିକ ଆଲୋଚନା କରିବାର ସମ୍ଭାବନା ରହିଛି। ଏଥି ସହିତ ପ୍ରଧାନମନ୍ତ୍ରୀ ତାଙ୍କର ଇଟାଲି ସମକକ୍ଷ ଜିୟୋର୍ଜିୟା ମେଲୋନୀଙ୍କ ସହିତ ବୈଠକ କରିବେ।
ବିଦେଶ ସଚିବ କହିଛନ୍ତି ଯେ, ଭାରତ-ସ୍ବିଜରଲାଣ୍ଡରେ ଆୟୋଜନ ହେବାକୁ ଥିବା ୟୁକ୍ରେନ୍ ଶାନ୍ତି ସମ୍ମିଳନୀରେ ଉଚିତ ସ୍ତରରେ ସାମିଲ ହେବ। ଚଳିତ ମାସରେ ସ୍ବିଜରଲାଣ୍ଡରେ ଆୟୋଜିତ ସମ୍ମିଳନୀରେ ପାଖାପାଖି ୯୦ଟି ଦେଶ ଯୋଗ ଦେବେ। ଏହି ଯାତ୍ରା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭାରତ ସହିତ ଅନ୍ୟ ବିଦେଶୀ ରାଷ୍ଟ୍ରର ସଂପର୍କ ବଢ଼ାଇବା ପାଇଁ ସୁଯୋଗ ଦେବ।