ନୂଆଦିଲ୍ଲୀ: ୟୁକ୍ରେନରେ ଚାଲିଥିବା ଭୀଷଣ ଯୁଦ୍ଧ ମଧ୍ୟରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରୁଷ ବୈଜ୍ଞାନିକଙ୍କୁ ବୁଢାପଣ ବା ବାର୍ଦ୍ଧକ୍ୟ ରୋକିବା ପାଇଁ ଔଷଧ ତିଆରି କରିବାକୁ ଆଦେଶ ଦେଇଛନ୍ତି । ପୁଟିନ ନିଜର ଏବଂ ସରକାରରେ ବୁଢା ହେଉଥିବା ଅନେକ ମନ୍ତ୍ରୀଙ୍କ ବୟସକୁ ରୋକିବାକୁ ଚାହୁଁଥିବା ରିପୋର୍ଟରେ ପ୍ରକାଶ ପାଇଛି । ରୁଷର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଚଳିତ ବର୍ଷ ଜୁନ ମାସରେ ବୈଜ୍ଞାନିକଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ସମୟ ସୀମା ମଧ୍ୟ ସ୍ଥିର ହୋଇ ସାରିିଛି । ୨୦୩୦ ସୁଦ୍ଧା ଏକ ଲକ୍ଷ ୭୫ ହଜାର ବୃଦ୍ଧଙ୍କ ଯୌବନ ଫେରାଇ ଆଣିବାକୁ ଲକ୍ଷ୍ୟ ରଖାଯାଇଛି । ପୁଟିନ ସରକାରଙ୍କଠୁ ଏମିତି ଚିଠି ପାଇବା ପରେ ବୈଜ୍ଞାନିକମାନେ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ସେମାନେ କହିଛନ୍ତି, ପ୍ରଥମ ଥର ଏତେ କମ ନୋଟିସରେ ଏମିତି କରିବାକୁ ଆମକୁ ଆଦେଶ ଦିଆଯାଇଛି ।
ଋୁଷ ଓ ୟୁକ୍ରେନ ଯୁଦ୍ଧ ମଧ୍ୟରେ ଭ୍ଲାଦିମିର ପୁଟିନଙ୍କ ବୟସକୁ ନେଇ ଚିନ୍ତା ବଢି ଯାଇଛି । କାରଣ ଯୁଦ୍ଧରେ ପ୍ରତିଦିନ ପ୍ରାଣ ହରାଉଥିବା ଯୁବକଙ୍କ ପରେ ରୁଷରେ ବର୍ତ୍ତମାନ ବୃଦ୍ଧ ଲୋକଙ୍କ ସଂଖ୍ୟା ବଢିବାରେ ଲାଗିଛି । ରୁଷର ସଂଘୀୟ ରାଜ୍ୟ ପରିସଂଖ୍ୟାନ ସେବା(ରୋସଷ୍ଟେଟ) ଦ୍ୱାରା ଜାରି ତଥ୍ୟ ଅନୁସାରେ, ଦେଶର ହାରାହାରି ଲୋକଙ୍କ ଆୟୁ ୨୦୨୩ ଜୁଲାଇ ଏବଂ ୨୦୨୪ ଜୁନ ମଧ୍ୟରେ ହ୍ରାସ ପାଇ ୭୩.୨୪ ବର୍ଷରେ ରହିଛି ।
ଗତ ମାସରେ ଏମଆରସି ଲାବୋରାଟୋରୀ ଅଫ ମେଡିକାଲ ସାଇନ୍ସ, ଇମ୍ପେରିୟଲ କଲେଜ ଲଣ୍ଡନ ଓ ସିଙ୍ଗାପୁରରେ ଡ୍ୟୁକ-ଏନୟୁଏସ ମେଡିକାଲ ସ୍କୁଲର ଗବେଷଣାରେ ଏମିତି ଏକ ଔଷଧ ମିଳିଥିବା ଦାବି କରାଯାଇଥିଲା ଯେଉଁଥିରେ ବୃଦ୍ଧଙ୍କ ଜବାନ କରିବାରେ ବେଶ ସହାୟକ ହୋଇ ପାରୁଛି । ଗବେଷକମାନେ ପ୍ରୟୋଗଶାଳାରେ ଏକ ମୂଷା ଦେହରେ ଏହି ପରୀକ୍ଷଣ କରିଛନ୍ତି । ଏଥିରୁ ଜାଣିବାକୁ ପାଇଛନ୍ତି ଯେ, ପରୀକ୍ଷଣ ପରେ ମୂଷାଟି ବୁଢାରୁ ଯୌବନବସ୍ଥାକୁ ଫେରି ଆସିଛି । ବୈଜ୍ଞାନିଜ ଏହି ଅଧ୍ୟୟନରୁ ଜାଣିବାକୁ ପାଇଛନ୍ତି ଯେ, ଔଷଧ ପଶୁଙ୍କ ଆୟୁକୁ ପାଖାପାଖି ୨୫ ପ୍ରତିଶତ ପର୍ଯ୍ୟନ୍ତ ବଢାଇପାରେ । ତେବେ ଏହାର ଉପଯୋଗ ଏବେ କୌଣସି ମଣିଷଙ୍କ ଶରୀରରେ କରାଯାଇ ନାହିଁ ।