ଟୋକିଓ: ଜାପାନ ଏୟାରଲାଇନ୍ସ ଗୁରୁବାର କହିଛି ଯେ ସାଇବର ଆକ୍ରମଣ ଯୋଗୁଁ କିଛି ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ଉଡ଼ାଣରେ ବିଳମ୍ବ ହେବା ସହ ଅସ୍ଥାୟୀ ରୂପେ ଟିକେଟ ବିକ୍ରି ବନ୍ଦ ହୋଇଯାଇଛି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ବିବୃତିରେ ଜାପାନର କମ୍ପାନୀ ସ୍ଥାନୀୟ ସମୟ ସକାଳ ୭ଟା ୨୪ ମିନିଟରେ ଏହାର ଆଭ୍ୟନ୍ତରୀଣ ଏବଂ ବାହ୍ୟ ପ୍ରଣାଳୀରେ ତ୍ରୁଟି ଥିବା ସୂଚନା ଦେଇ ଯାତ୍ରୀମାନଙ୍କୁ ହୋଇଥିବା ଅସୁବିଧା ପାଇଁ କ୍ଷମା ପ୍ରାର୍ଥନା କରିଛି।
ଆଜି ସକାଳ ୭ଟା ୨୪ରୁ କମ୍ପାନି ଓ ଏହାର ଗ୍ରାହକଙ୍କୁ ସଂଯୋଗ କରୁଥିବା ନେଟଓ୍ଵାର୍କ ଉପକରଣରେ ସିଷ୍ଟମ୍ ତ୍ରୁଟି ଦେଖାଦେଇଛି। ଏହା ଦ୍ୱାରା ଉଭୟ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ଚଳାଚଳ ପ୍ରଭାବିତ ହେବାର ଆଶଙ୍କା ରହିଛି। ପରିସ୍ଥିତି ନିଶ୍ଚିତ ହେବା ମାତ୍ରେ ଆମେ ଆପଣଙ୍କୁ ଆମର ପରବର୍ତ୍ତୀ ଘୋଷଣାରେ ଜଣାଇବୁ। ଯେକୌଣସି ଅସୁବିଧା ପାଇଁ ଆମେ କ୍ଷମା ପ୍ରାର୍ଥନା କରୁଛୁ।
ପ୍ରାୟ ଅଧଘଣ୍ଟା ପରେ ଜାପାନ ଏୟାରଲାଇନ୍ସ ଏକ ଅପଡେଟ୍ ପୋଷ୍ଟ କରି କହିଛି ଯେ ସ୍ଥାନୀୟ ସମୟ ସକାଳ ୮ଟା ୫୬ ମିନିଟ୍ରେ ସମସ୍ୟାର କାରଣ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସିଷ୍ଟମରେ ତ୍ରୁଟି ସୃଷ୍ଟି କରିଥିବା ରାଉଟରକୁ ସାମୟିକ ଭାବେ ବନ୍ଦ କରିବା ସହ ଆଜି ଉଡ଼ାଣ କରୁଥିବା ଘରୋଇ ଓ ଅନ୍ତର୍ଜାତୀୟ ବିମାନପାଇଁ ଟିକେଟ୍ ବିକ୍ରି କୁ ମଧ୍ୟ ସ୍ଥଗିତ ରଖାଯାଇଛି।
ଆମେ ସକାଳ ୮ଟା ୫୬ମିନିଟରେ ସମସ୍ୟାର କାରଣ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲୁ। ଆମେ ବର୍ତ୍ତମାନ ସିଷ୍ଟମ୍ ପୁନରୁଦ୍ଧାର ସ୍ଥିତି ଯାଞ୍ଚ କରୁଛୁ। ଏଥିସହିତ ଆଜି ଛାଡ଼ିବାକୁ ଥିବା ଉଭୟ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ର ବିକ୍ରି ବନ୍ଦ ରହିଛି। କୌଣସି ଅସୁବିଧା ପାଇଁ ଆମେ କ୍ଷମା ପ୍ରାର୍ଥନା କରୁଛୁ ବୋଲି ଏୟାରଲାଇନ୍ସ ଟୁଇଟ୍ କରିଛି।
ଅଧିକ ପଢ଼ନ୍ତୁ: ଭାରତୀୟ ଓ ଖଲିସ୍ତାନୀ ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ