ଇସଲାମାବାଦ, ଜୁଲାଇ ୦୨ (ଖବର ଓଡ଼ିଶା): ପାକିସ୍ତାନର ପଂଜାବ ରାଜ୍ରରେ ପିପି ଆସନରେ ଉପନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏହି ଉପନିର୍ବାଚନର ପ୍ରଚାରରେ ଭାରତୀୟ ମୃତ ଗାୟକ ସିଦ୍ଧୁ ମୁସେୱାଲାଙ୍କ ଫଟୋକୁ ବ୍ୟବହାର କରାଯାଇଛି । ଇମ୍ରାନ୍ ଖାନଙ୍କ ପାର୍ଟି ତରଫରୁ ମୁସେୱାଲାଙ୍କ ଫଟୋକୁ ବ୍ୟବହାର କରାଯାଇଛି । ପାର୍ଟିର ହୋର୍ଡିଙ୍ଗରେ ପୂର୍ବତନ ବିଦେଶ ମନ୍ତ୍ରୀ ଶାହ ମହମ୍ମଦ କୁରେଶୀଙ୍କ ପୁଅ ଜୈନ କ୍ୟୁରେଶୀଙ୍କ ଫଟୋ ମଧ୍ୟ ରହିଛି ।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ପୋଷ୍ଟରରେ ମୁସେୱାଲାଙ୍କ ଫଟୋ ମଧ୍ୟ ଦେଖାଯାଉଛି, ଯେଉଁଥିରେ କରି ‘୨୯୫’ ନମ୍ବର ଲେଖାଯାଇଛି, ଯାହାକି ଗାୟକଙ୍କ ଲୋକପ୍ରିୟ ନମ୍ବରର ନମୁନା । ୨୯୫ ଗୀତ ଭାରତୀୟ ଦଣ୍ଡ ସଂହିତାର ଧାରା ଉପରେ ଏକ ଟିପ୍ପଣୀ ରହିଛି, ଯାହା କି ଧାର୍ମିକ ଭାବନାକୁ ଆହତ କରିବା ସଂପକିର୍ତ । ଏହି ଆସନରେ ଆସନ୍ତା ୧୭ ତାରିଖରେ ଭୋଟ ଗ୍ରହଣ କରାଯିବ ।
ତେବେ ନିର୍ବାଚନୀ ପୋଷ୍ଟରରେ ସିଦ୍ଧୁ ମୁସେୱାଲାଙ୍କ ଫଟୋ ନେଇ ଗଣମାଧ୍ୟମକୁ ଜୈନ କ୍ୟୁରେଶୀ କହିଛନ୍ତି ଯେ, ଏବାବଦରେ ସେ ଜାଣିନାହାନ୍ତି । ସେ କହିଛନ୍ତି, ସିଦ୍ଧୁ ମୁସେୱାଲାଙ୍କ ଫଟୋକୁ ଯେଉଁମାନେ ଛାପିଛନ୍ତି, ସେମାନଙ୍କୁ ଧନ୍ୟବାଦ ଜଣାଉଛି । କାରଣ ଏହି ପୋଷ୍ଟର କାରଣରୁ ତାଙ୍କର ଫଟୋ ବହୁତ ଭାଇରାଲ ହୋଇଛି । ଆମର କୌଣସି ଫଟୋ ଏହା ପୂର୍ବରୁ ଏତେ ଭାଇରାଲ ହୋଇ ନଥିଲା ।