ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ଓ ତ୍ରିପୁରାର ହସ୍ପିଟାଲଗୁଡ଼ିକ ବାଂଲାଦେଶୀ ରୋଗୀଙ୍କ ପାଇଁ କବାଟ ବନ୍ଦ କରିଦେଇଛନ୍ତି। କୋଲକାତାର ମାଣିକତଲ୍ଲାସ୍ଥିତ ଜେଏନ୍ ରୟ ହସ୍ପିଟାଲ୍ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାଂଲାଦେଶୀ ନାଗରିକଙ୍କ ଚିକିତ୍ସା ବନ୍ଦ କରିଦେଇଛି। ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଏବଂ ଇସ୍କନର ପୂର୍ବତନ ମୁଖ୍ୟ ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫଦାରୀ ପ୍ରତିବାଦରେ ହସ୍ପିଟାଲ ଏହି ପଦକ୍ଷେପ ନେଇଛି।
ହସ୍ପିଟାଲ ଅଧିକାରୀ ଶୁଭ୍ରାଂଶୁ ଭକ୍ତ କହିଛନ୍ତି, ଆମେ ଏବେଠାରୁ କୌଣସି ବାଂଲାଦେଶୀ ନାଗରିକଙ୍କୁ ଭର୍ତ୍ତି କରିବୁ ନାହିଁ। ଏହା ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାର ଏବଂ ଆମ ଦେଶ ପ୍ରତି ଦେଖାଯାଇଥିବା ଅସମ୍ମାନର ଖଣ୍ଡନ। ତେବେ ପଶ୍ଚିମବଙ୍ଗର ନଗର ଉନ୍ନୟନ ମନ୍ତ୍ରୀ ତଥା କୋଲକାତା ମେୟର ଫିରହାଦ ହାକିମ ହସ୍ପିଟାଲର ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି।
ଅସୁସ୍ଥ ଲୋକଙ୍କ ଚିକିତ୍ସା ନ କରିବା ଠିକ୍ ନୁହେଁ ବୋଲି ସେ କହିଛନ୍ତି। ଡାକ୍ତରଙ୍କ ଧର୍ମ ହେଉଛି ରୋଗୀଙ୍କ ଚିକିତ୍ସା କରିବା । ଅଗରତାଲାସ୍ଥିତ ମଲ୍ଟି ସ୍ପେଶାଲିଟି ହେଲ୍ଥକେୟାର ମଧ୍ୟ ବାଂଲାଦେଶର ରୋଗୀଙ୍କ ଚିକିତ୍ସା କରିବ ନାହିଁ ବୋଲି ଘୋଷଣା କରିଛି। ଏହାର ନିକଟତରତା ଏବଂ ସୁଲଭ ଚିକିତ୍ସା କାରଣରୁ ଏହି ଡାକ୍ତରଖାନା ବାଂଲାଦେଶର ରୋଗୀଙ୍କ ପାଇଁ ଏକ ଲୋକପ୍ରିୟ ସ୍ଥାନ ପାଲଟିଛି।
ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ଏବଂ ଜାତୀୟ ପତାକାକୁ ଅପମାନିତ କରିବା କାରଣରୁ ଆମେ ସେଠାରେ ରୋଗୀଙ୍କ ଚିକିତ୍ସା ନ କରିବାକୁ ନିଷ୍ପତ୍ତି ନେଇଛୁ। ହସ୍ପିଟାଲର ମୁଖ୍ୟ ପରିଚାଳନା ଅଧିକାରୀ ଗୌତମ ହଜାରିକା କହିଛନ୍ତି, ବାଂଲାଦେଶରୁ ଆମ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ଲୋକଙ୍କ ଚିକିତ୍ସା ବନ୍ଦ କରିବା ଦାବିକୁ ଆମେ ସମ୍ପୂର୍ଣ୍ଣ ସମର୍ଥନ କରୁଛୁ। ଆଜିଠାରୁ ଆଖୌରା ଚେକ୍ ପୋଷ୍ଟ ଓ ହସ୍ପିଟାଲରେ ଥିବା ହେଲ୍ପ ଡେସ୍କ ବନ୍ଦ ରହିଛି।
ଅଧିକ ପଢ଼ନ୍ତୁ: ବାତ୍ୟା ଯୋଗୁଁ ତାମିଲନାଡୁରେ ୨୦୦ରୁ ଊର୍ଦ୍ଧ୍ବ ବିମାନ ଉଡ଼ାଣ ଅଟକିଲା