କିଭ୍: ଆମେରିକା ଓ ବ୍ରିଟିଶ ଅସ୍ତ୍ରଶସ୍ତ୍ର ଦ୍ୱାରା ମସ୍କୋ ଉପରେ ଆକ୍ରମଣ ପରେ ରୁଷ୍ ରାଷ୍ଟ୍ରପତି ପୁଟିନଙ୍କ ଧୈର୍ଯ୍ୟ ଶେଷ ହୋଇଯାଇଛି। ଏବେ ତାଙ୍କ ନିର୍ଦ୍ଦେଶକ୍ରମେ ରୁଷୀୟ ସେନା କିଭ୍ରେ ବିପର୍ଯ୍ୟୟ ସୃଷ୍ଟି କରୁଛି। ବୁଧବାର ୟୁକ୍ରେନ୍ ଉପରକୁ ୯୦ରୁ ଅଧିକ କ୍ଷେପଣାସ୍ତ୍ର ଓ ୧୦୦ ଡ୍ରୋନ୍ ଆକ୍ରମଣ କରାଯାଇଛି। ଏହା ୟୁକ୍ରେନକୁ ଦୋହଲାଇ ଦେଇଥିଲା। ଖାଲି ସେତିକି ନୁହେଁ ପୁଟିନ ଏବେ ୟୁକ୍ରେନ ଉପରେ ହାଇପରସୋନିକ୍ କ୍ଷେପଣାସ୍ତ୍ର ଆକ୍ରମଣର ଧମକ ଦେଇଛନ୍ତି।
ୟୁକ୍ରେନର ଏନର୍ଜି ଗ୍ରିଡ୍ ଉପରେ ମସ୍କୋ ଆକ୍ରମଣ କରିବାର କିଛି ଘଣ୍ଟା ପରେ ଏହି ଧମକ ମିଳିଛି। ଏହି ଆକ୍ରମଣ ରେ ୧୦ ଲକ୍ଷ ଲୋକ ବିଜୁଳି ବିହୀନ ହୋଇପଡିଛନ୍ତି। କିଭ୍ କହିଛନ୍ତି ଯେ ଆକ୍ରମଣ ସମୟରେ ରୁଷ୍ ୯୦ରୁ ଅଧିକ କ୍ଷେପଣାସ୍ତ୍ର ଏବଂ ପାଖାପାଖି ୧୦୦ ଡ୍ରୋନ୍ ନିକ୍ଷେପ କରିଥିଲା, ଯାହାକୁ କ୍ରେମଲିନ୍ ମୁଖ୍ୟ ପାଶ୍ଚାତ୍ୟ କ୍ଷେପଣାସ୍ତ୍ର ଦ୍ୱାରା ତାଙ୍କ ଅଞ୍ଚଳରେ ୟୁକ୍ରେନ୍ ଆକ୍ରମଣର 'ଜବାବ' ବୋଲି କହିଛନ୍ତି।
ଜାନୁଆରୀରେ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ଉଭୟ ପକ୍ଷ ନୂଆ ଅସ୍ତ୍ରଶସ୍ତ୍ର ମୁତୟନ କରିବା ସହ ପାଖାପାଖି ତିନି ବର୍ଷ ଧରି ଚାଲିଥିବା ଯୁଦ୍ଧରେ ତୀବ୍ର ବୃଦ୍ଧି ଘଟିଛି।
ହାଇପରସୋନିକ୍ କ୍ଷେପଣାସ୍ତ୍ର ସମ୍ପର୍କରେ କାଜାକ୍ ରାଜଧାନୀ ଆସ୍ତାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୁଟିନ୍ କହିଛନ୍ତି, ଆମେ କିଭ୍ ସମେତ ସାମରିକ, ସାମରିକ-ଶିଳ୍ପ କିମ୍ବା ନିଷ୍ପତ୍ତି ଗ୍ରହଣକାରୀ କେନ୍ଦ୍ର ଗୁଡ଼ିକ ବିରୋଧରେ ଓରେସେନିକ୍ ବ୍ୟବହାର କରିବାର ସମ୍ଭାବନାକୁ ଏଡ଼ାଇ ଦେଉନାହୁଁ।
ଗତ ସପ୍ତାହରେ ରୁଷ୍ ୟୁକ୍ରେନ ଉପରେ ନିଜର ନୂଆ ଓରେସିକ ବ୍ୟାଲେଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷଣ କରିଥିଲା ଏବଂ ପୁଟିନ୍ ଗୁରୁବାର ଦାବି କରିଛନ୍ତି ଯେ ଏକାଥରକେ ଏକାଧିକ ଅସ୍ତ୍ରଶସ୍ତ୍ର ନିକ୍ଷେପ କରିବା ଦ୍ୱାରା ପରମାଣୁ ଆକ୍ରମଣ ବା 'ଉଲ୍କାପିଣ୍ଡ' ଆକ୍ରମଣ ସମାନ ଶକ୍ତି ରହିବ। ଏହା ପୂର୍ବରୁ ସେ କହିଥିଲେ ଯେ ରାତାରାତି ହୋଇଥିବା ବୋମା ବିସ୍ଫୋରଣ ଆମ ଅଞ୍ଚଳରେ (ଆମେରିକୀୟ) ଏଟିଏସିଏମଏସ କ୍ଷେପଣାସ୍ତ୍ର ଦ୍ୱାରା ଜାରି ରହିଥିବା ଆକ୍ରମଣର ପ୍ରତିକ୍ରିୟା।
ଅଧିକ ପଢ଼ନ୍ତୁ: ଚଳନ୍ତା ଆମ୍ବୁଲାନ୍ସରେ ୧୬ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ