କୋଲକାତା/ଢ଼ାକା: କୋଲକାତାସ୍ଥିତ ଡେପୁଟି ହାଇକମିସନ ବାହାରେ ହୋଇଥିବା ହିଂସାତ୍ମକ ବିକ୍ଷୋଭକୁ ବାଂଲାଦେଶ ତୀବ୍ର ନିନ୍ଦା କରିଛି। ବିକ୍ଷୋଭ ସମୟରେ ଅନ୍ତରୀଣ ସରକାରୀ ମୁଖ୍ୟ ମହମ୍ମଦ ୟୁନୁସଙ୍କ ପ୍ରତିମୂର୍ତ୍ତି ଓ ବାଂଲାଦେଶୀ ଜାତୀୟ ପତାକାରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଗୁରୁବାର ବଙ୍ଗିଓ ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ ଆୟୋଜିତ ଏକ ରାଲି ସମୟରେ ଏହି ଘଟଣା ଘଟିଛି। ବଙ୍ଗିଓ ହିନ୍ଦୁ ଜାଗରଣ ମଞ୍ଚ ହେଉଛି ଏକ ହିନ୍ଦୁ ସଂଗଠନ ଯାହା ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହୋଇଥିବା ଆକ୍ରମଣ ଏବଂ ସେଠାରେ ଚିନ୍ମୟ କୃଷ୍ଣ ଦାସଙ୍କୁ ଗିରଫ କରିବା ବିରୋଧରେ ପ୍ରତିବାଦ କରୁଛି।
ବାଂଲାଦେଶର ବୈଦେଶିକ ମନ୍ତ୍ରଣାଳୟ ଶୁକ୍ରବାର ଏକ ବିବୃତି ଜାରି କରି ଏହି ଘଟଣାକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରିବା ସହ ଭାରତରେ ଥିବା ଏହାର ସମସ୍ତ କୂଟନୈତିକ ଦୂତାବାସ ଏବଂ କର୍ମଚାରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ନୂଆଦିଲ୍ଲୀକୁ ଅନୁରୋଧ କରିଛି। ବିକ୍ଷୋଭକାରୀମାନେ ପୁଲିସ ବ୍ୟାରିକେଡ୍ ଭାଙ୍ଗି କମିସନ ସୀମାରେ ପହଞ୍ଚିଥିବା ଅଭିଯୋଗ ହୋଇଛି।
ଭବିଷ୍ୟତରେ ଏଭଳି ଘଟଣାକୁ ରୋକିବା ପାଇଁ ଭାରତ ସରକାର ତୁରନ୍ତ ପଦକ୍ଷେପ ନେବା ସହ କୂଟନୈତିକ କର୍ମଚାରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ବାଂଲାଦେଶ ଆହ୍ୱାନ ଦେଇଛି। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ଥିବା ବେଳେ ଡେପୁଟି ହାଇକମିସନର ସଦସ୍ୟଙ୍କ ମଧ୍ୟରେ ଅସୁରକ୍ଷିତ ଭାବନା ରହିଛି।
ସେପଟେ ବାଂଲାଦେଶରେ ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁଙ୍କ ପ୍ରତି ହେଉଥିବା ବ୍ୟବହାରକୁ ନେଇ ଭାରତ ଚିନ୍ତା ପ୍ରକଟ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଶୁକ୍ରବାର ସଂସଦକୁ ସମ୍ବୋଧିତ କରି ବାଂଲାଦେଶ ସରକାରଙ୍କୁ ସଂଖ୍ୟାଲଘୁ ସମ୍ପ୍ରଦାୟ ଏବଂ ସେମାନଙ୍କ ଧର୍ମସ୍ଥଳୀର ସୁରକ୍ଷା ସୁନିଶ୍ଚିତ କରିବାକୁ ଅନୁରୋଧ କରିଛନ୍ତି। ଅଗଷ୍ଟରେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ କ୍ଷମତାଚ୍ୟୁତ କରିବା ପରେ ଉତ୍ତେଜନା ବୃଦ୍ଧି ପାଇଥିବା ବେଳେ ୟୁନୁସଙ୍କ ନେତୃତ୍ୱାଧୀନ ଅନ୍ତରୀଣ ସରକାରରେ ହିଂସା କାଣ୍ଡ ଜାରି ରହିଛି।
ଦେଶଦ୍ରୋହ ଅଭିଯୋଗରେ ବାଂଲାଦେଶର ଇଣ୍ଟରନ୍ୟାସନାଲ କ୍ରିଷ୍ଣା ଚେତନା ସୋସାଇଟି (ଇସ୍କନ)ର ପୂର୍ବତନ ସଦସ୍ୟ ଚିନ୍ମୟ କୃଷ୍ଣ ଦାସଙ୍କୁ ଗିରଫ କରାଯିବା ପରେ ଏହି ବିକ୍ଷୋଭ ଆରମ୍ଭ ହୋଇଥିଲା। ଚଳିତ ସପ୍ତାହ ପ୍ରାରମ୍ଭରେ ସେଠାକାର ଏକ ଅଦାଲତ ଦାସଙ୍କ ଗିରଫଦାରିକୁ ଜାମିନ ନାମଞ୍ଜୁର କରିବା ପରେ ଢାକା ଓ ଚିଟଗାଙ୍ଗ ସମେତ ବାଂଲାଦେଶର ବିଭିନ୍ନ ସ୍ଥାନରେ ହିନ୍ଦୁ ସମ୍ପ୍ରଦାୟର ସଦସ୍ୟମାନେ ବିରୋଧ ପ୍ରଦର୍ଶନ କରିଥିଲେ।
ଅଧିକ ପଢ଼ନ୍ତୁ: ଅସ୍ତ୍ରବିରତି ନେଇ ସଙ୍କେତ ଦେଲେ ବାଇଡେନ୍