ଖାଇବର ପଖ୍ତୁନଖା: ବିଶ୍ବର ଅନେକ ଦେଶରେ ଅଦ୍ଭୁତ ଘଟଣା ଘଟୁଥିବା ନଜିର ରହିଛି। ଏବେ ପାକିସ୍ତାନରେ ବିବାହାକୁ ନେଇ ଆଶ୍ଚର୍ଯ୍ୟକର ଖବର ଗଣମାଧ୍ୟମକୁ ଆସିଛି। ଖାଇବର ପଖତୁନଖାରେ ପିତା ନିଜର ନାବାଳିକା ଝିଅକୁ ଜଣେ ୭୨ ବର୍ଷୀୟ ବୃଦ୍ଧଙ୍କ ସହିତ ବିବାହ କରିବାକୁ ଉଦ୍ୟମ କରିଛନ୍ତି। ପୁଲିସ ଏହି ଘଟଣା ସଂପର୍କରେ ଅବଗତ ହେଲା ପରେ ଅତର୍କିତ ଚଢ଼ଉ କରିଛି। ଫଳରେ ବିବାହ ଅଟକି ଯାଇଛି। ବୁଢ଼ା ବରକୁ ଗିରଫ କରାଯାଇଛି।
ପୁଲିସ କହିଛି, ଆଲମ ସୟଦ ନିଜର ନାବାଳିକା ଝିଅକୁ ବିବାହ ବାହାନରେ ୫ ଲକ୍ଷ ଟଙ୍କାରେ ବିକ୍ରି କରିବାର ଯୋଜନା କରିଥିଲେ। ସେ କହିଥିଲେ ଯଦି ଏତିକି ଟଙ୍କା ନମିଳିବ, ଝିଅକୁ ବିହାହ କରିବେନି। ତେବେ ବିବାହର ଠିକ୍ ପୂର୍ବରୁ ପୁଲିସ ଏହି ଘଟଣାରେ ହସ୍ତକ୍ଷେପ କରିଥିଲା ଏବଂ ୭୨ ବର୍ଷୀୟ ବର ହବୀବ ଖାନଙ୍କୁ ଗିରଫ କରିଥିଲା। ତେବେ ଘଟଣାସ୍ଥଳରୁ ଆଲମ ସୟଦ ଫେରାର ହୋଇଯାଇଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।
ସୂଚନାଯୋଗ୍ୟ, ଭାରତ ଭଳି ପାକିସ୍ତାନରେ ମଧ୍ୟ ବାଲ୍ୟ ବିବାହ ଉପରେ କଟକଣା ଲାଗୁ ହୋଇଛି। ତଥାପି ବାରମ୍ବାର ଏହି ଭଳି ଘଟଣା ଘଟୁଛି, ଯାହାକି ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି। ନିକଟରେ ଆଇନ ପ୍ରବର୍ତ୍ତନ ସଂସ୍ଥା ରାଜନପୁର ଓ ଥଟ୍ଟାରେ ଏହି ପ୍ରକାରର ଘଟଣାର ପର୍ଦ୍ଦାଫାସ କରିଥିଲା, ଯେଉଁଠି ନାବାଳିକା ସହିତ ଜଣେ ବୟସ୍କ ବ୍ୟକ୍ତିର ବିବାହ ସ୍ଥିର ହୋଇଥିଲା। ଝିଅର ବସୟ ୧୧ ବର୍ଷ ଥିଲା। କିନ୍ତୁ ବରର ବୟସ ୪୦ ବର୍ଷ ଥିଲା। ଏହା ପୂର୍ବରୁ ଗତ ମେ’ ମାସ ୬ ତାରିଖରେ ଜଣେ ୧୩ ବର୍ଷୀୟ ଝିଅ ସହିତ ୭୦ ବର୍ଷୀୟ ବୃଦ୍ଧ ବିବାହ କରିବା ନେଇ ଅଭିଯୋଗ ହୋଇଥିଲା। ପରେ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା।