ୱାଶିଂଟନ୍: ଆମେରିକାର ପେନ୍ସିଲଭେନିଆରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଶନିବାର ଆକ୍ରମଣ ହୋଇଛି। ଏକ ନିର୍ବାଚନୀ ରାଲି ସମୟରେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଛି। ଫଳରେ ଟ୍ରମ୍ପ ଆହତ ହୋଇଛନ୍ତି। ଅନ୍ୟପଟରେ ଟ୍ରମ୍ପଙ୍କ ଶିବିର ତରଫରୁ କୁହାଯାଇଛି ଯେ, ସେ ଠିକ ଅଛନ୍ତି ଏବଂ ତାଙ୍କୁ ଜରୁରୀକାଳନୀ ଚିକିତ୍ସା ଯୋଗାଇ ଦିଆଯାଇଛି। ରାଲିରେ ଗୁଳିମାଡ଼ ପରେ ଟ୍ରମ୍ପଙ୍କ ମୁହଁରେ ରକ୍ତ ଦେଖାଯାଇଥିଲା। ଆକ୍ରମଣକାରୀ ଏକ ଛାତ ଉପରୁ ଗୁଳିମାଡ଼ କରିଥିଲା। ରାଲିରେ ଯୋଗଦେଇଥିବା ଲୋକଙ୍କ କହିବା ଅନୁସାରେ ଟ୍ରମ୍ପଙ୍କ ଉପରେ ଆକ୍ରମଣ କରିବା ଦୁର୍ଭାଗ୍ୟଜନକ। ଏହି ଆକ୍ରମଣ ଘାତକ ଥିଲା। ମାତ୍ର ୨ ସେଣ୍ଟିମିଟର ଦେଇ ଗୁଳି ଅତିକ୍ରମ କରିଥିଲା। ଟ୍ରମ୍ପ ଭାଗ୍ୟବାନ ଥିଲେ। ଏଥି ପାଇଁ ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତି ଯାଇଛନ୍ତି।
ଦ ସନ୍ ରିପୋର୍ଟ ଅନୁସାରେ ଟ୍ରମ୍ପଙ୍କ ରାଲିରେ ଉପସ୍ଥିତ ପେନସିଲଭେନିଆ ଷ୍ଟେଟ କ୍ୟାନିଡେଟ୍ ପ୍ରାର୍ଥୀ ଡେଭିଡ ମେକକୋର୍ମିକ କହିଛନ୍ତି, ଟ୍ରମ୍ପଙ୍କ ଭାଷଣ ସମୟରେ ୮ରୁ ୧୦ ଥର ଗୁଳି ଫୁଟିଥିଲା। ସେ କହିଛନ୍ତି, ଆମେ ଭାବୁଥିଲୁ ଟ୍ରମ୍ପଙ୍କ ବାମପାର୍ଶ୍ବରେ ଓ ପଛରେ ଥିବା ଲୋକଙ୍କ ଦେହରେ ଗୁଳିବାଜିଛି। ଅନ୍ୟ ଜଣେ କହିଛନ୍ତି, ଟ୍ରମ୍ପଙ୍କୁ ହତ୍ୟା ଉଦ୍ଦେଶ୍ୟରେ ଏହି ଗୁଳିମାଡ଼ କରାଯାଇଥିଲା। କିନ୍ତୁ ତାଙ୍କର ଭାଗ୍ୟ ଭଲ। ସେ ଭାଗ୍ୟବାନ ମଣିଷ, ଯେଉଁଥି ପାଇଁ ଗୁଳିମାଡ଼ରୁ ବର୍ତ୍ତି ଯାଇଥିଲେ।
ଜଣେ ବ୍ୟକ୍ତି ଅନ୍ତର୍ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ସଭା ନିକଟ ଏକ କୋଠା ଉପରୁ ଜଣେ ବ୍ୟକ୍ତି ଟ୍ରମ୍ପଙ୍କୁ ଲକ୍ଷ୍ୟ କରି ଗୁଳିମାରିଥିଲେ। ସନ୍ଦିଗ୍ଧ ବ୍ୟକ୍ତି ସଭାସ୍ଥଳରୁ ମାତ୍ର ୫୦ ମିଟର ଦୂରରେ ଥିବା ଛାତ ଉପରେ ଛିଡ଼ା ହୋଇଥିଲେ। ଆମେ ସ୍ପଷ୍ଟ ରୂପେ ଦେଖିଥିଲୁ ଯେ, ସନ୍ଦିଗ୍ଧ ଆକ୍ରମଣକାରୀଙ୍କ ପାଖରେ ଏକ ରାଇଫଲ ଥିଲା। ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ମଧ୍ୟ ସ୍ବୀକାର କରିଛନ୍ତି ଯେ, ତାଙ୍କ ଦେହରେ ଗୁଳି ବାଜିଛି। ଟ୍ରମ୍ପଙ୍କ ମୁହଁରେ ଟେଲିପ୍ରମ୍ପଟରର କାଚ ବାଜିଛି।
ସୂଚନାଯୋଗ୍ୟ, ଆମେରିକାର ପେନସିଲଭେନିଆରେ ଶନିବାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ବାଚନୀ ସଭା ଉପରକୁ ଗୁଳିମାଡ଼ ହୋଇଛି। ଏହି ଗୁଳିମାଡ଼ ଘଟଣାରେ ଆକ୍ରମଣକାରୀ ସମେତ ୨ ଜଣଙ୍କର ମୃତ୍ୟୁ ହୋଇଛି। ମାତ୍ର ପୂର୍ବତନ ରାଷ୍ଟ୍ରପତି ଗୁଳିମାଡ଼ ଘଟଣା ପରେ ମଧ୍ୟ ସୁରକ୍ଷିତ ଅଛନ୍ତି। ଟ୍ରମ୍ପ ପେନ୍ସିଲଭେନିଆର ବଟଲରରେ ଭାଷଣ ଦେଉଥିଲେ। ଏହି ସମୟରେ ଗୁଳିମାଡ଼ ହୋଇଥିଲା। ଏହି ଗୁଳମାଡ଼ ପ୍ରଭାବ ଜୋରଦାର ଥିଲା। ଫଲରେ ମଞ୍ଚ ଉପରେ ଭାଷଣ ଦେଉଥିବା ଟ୍ରମ୍ପ ତଳେ ପଡ଼ିଯାଇଥିଲେ। ତାଙ୍କର ସୁରକ୍ଷା ପାଇଁ ମୁତୟନ ଥିବା ସିକ୍ରେଟ ସର୍ଭିସ ଏଜେଣ୍ଟ ତାଙ୍କୁ ତୁରନ୍ତ ଉଦ୍ଧାର କରିଥିଲେ। ତାଙ୍କୁ ମଞ୍ଚ ଉପରୁ ତଳକୁ ନିଆଯାଇଥିଲା। ଏହି ସମୟରେ ଟ୍ରମ୍ପଙ୍କ ମହୁଁ ଓ କାନରୁ ରକ୍ତ ନିର୍ଗତ ହେଉଥିଲା।