ଉହାନ୍, ଜାନୁଆରୀ ୧୨ (ଖବର ଓଡ଼ିଶା): ପୁରା ବିଶ୍ୱରେ ଏବେ କରୋନା ମହାମାରୀର ତାଣ୍ଡବ ଜାରି ରହିଥିବା ବେଳେ ଚାରିଆଡେ କଡାକଡି କରୋନା କଟକଣା । କରୋନାର ଉତ୍ପତି ସ୍ଥଳ କୁହାଯାଉଥିବା ଚାଇନାରେ କୋଭିଡ୍ ପାଇଁ ରହିଛି ଜିରୋ ଟଲରାନ୍ସ ନୀତି ।
ଚୀନରେ ଏଭଳି କଡା ନିୟମ ମଧ୍ୟରେ ସାମନ୍ୟ କରୋନା କଟକଣା ଉଲଘଂନ କଲେ ଦିଆଯାଉଛି ବଡ଼ ତଣ୍ଡ । ତେବେ ଚୀନର ସେମିତି ଏକ ଦଣ୍ଡକୁ ନେଇ ପୁରା ବିଶ୍ୱରେ ଚର୍ଚ୍ଚା ।
ଚୀନରେ କରୋନା ନିୟମର ଉଲଘଂନ କରିବାରୁ ଗୋଟିଏ କମ୍ପାନୀର କର୍ମଚାରୀଙ୍କୁ ୪ ବର୍ଷର ଜେଲ ଦଣ୍ଡ ସହିତ ୧୨୫,୫୦୦ ଡଲାର ବା ୯୨ ଲକ୍ଷ ୭୭ ହଜାର ଟଙ୍କାର ଜରିମାନା ଲାଗୁ କରାଯାଇଛି ।
କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ସୂଚନା ଅନୁସାରେ, ଡାଲିଆନର ଗୋଟିଏ କାର୍ଗୋ କମ୍ପାନୀରେ କରୋନା କଟକଣାର ଉଲଘଂନ କରାଯାଇଥିଲା । କମ୍ପାନୀ କର୍ମଚାରୀଙ୍କ ପାଇଁ ଥିବା ମାସ୍କ ପିନ୍ଧିବା ନିୟମକୁ କଡ଼ାକଡ଼ି ପାଳନ କରି ନଥିଲା ।
ଏହାସହିତ କମ୍ପାନୀ ପକ୍ଷରୁ ଟେଷ୍ଟିଂ କିମ୍ବା କ୍ୱାରେଣ୍ଟିନ ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି ପାଳନ କରାଯାଇ ନଥିଲା । ଫଳରେ କମ୍ପାନୀର ୪ ଜଣ କର୍ମଚାରୀ ୮୩ ଜଣଙ୍କୁ ସଂକ୍ରମିତ କରିଥିଲେ । ଏହି ଘଟଣା ୨୦୨୦ ନଭେମ୍ବର ମଧ୍ୟଭାଗରେ ଘଟିଥିଲା । ଗୋଟିଏ କାର୍ଗୋ ଶିପ୍ ଖାଦ୍ୟ ସାମଗ୍ରୀ ଧରି ଡାଲିଆନକୁ ଆସିଥିଲା ।
ଏଥିରେ ଥିବା କର୍ମଚାରୀମାନେ କରୋନା କଟକଣାକୁ ନ ମାନିବାରୁ ସଂକ୍ରମଣ ବୃଦ୍ଧି ପାଇଥିଲା ବୋଲି ସରକାର କୋର୍ଟରେ ଯୁକ୍ତି ଉପସ୍ଥାପନ କରିଥିଲେ । ଏଥିପାଇଁ କମ୍ପାନୀର କଣ୍ଟ୍ରୋଲର, ଆଇନଗତ ପ୍ରତିନିଧି ଓ ଜଣେ ସୁପର ଭାଇଜରଙ୍କୁ ୪ ବର୍ଷରୁ ଅଧିକ ସମୟର ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି । ଏଥିସହ କମ୍ପାନୀ ଉପରେ ୧୨୫,୫୦୦ ଡଲାର ଫାଇନ ଲାଗୁ କରାଯାଇଛି।
ତେବେ ୨୦୨୦ରେ ଚାଇନାରେ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଥିଲେ ଏବଂ ସେହି ସମୟରେ ଚୀନରେ କରୋନାକୁ ଆୟତ କରିବା ସବୁଠାରୁ ବଡ଼ ଚ୍ୟାଲେଞ୍ଜିଂ ଥିଲା ଯାହାକୁ ନେଇ ଚୀନ ସରକାର କରୋନା କଟକଣା ଉଲଘଂନ କାରୀଙ୍କ ବିରୋଧରେ କଡା ପଧକ୍ଷପ ଗ୍ରହଣ କରିଥିବା ସୂଚନା ମିଳିଛି ।