ଶୁକ୍ରବାର ନେପାଳରେ ଭୂସ୍ଖଳନ ହେତୁ ରାଜପଥରୁ ଦୁଇଟି ବସ୍ ଖସି ବନ୍ୟା ପ୍ରଭାହିତ ନଦୀରେ ଭାସିଯାଇଛି । ଏହି ଦୁର୍ଘଟଣାରେ ୬୬ ଜଣ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି । ଷୋମବାର ଉଦ୍ଧାର କର୍ମଚାରୀମାନେ ନଦୀରୁ ୭ ଟି ମୃତଦେହ ଉଦ୍ଧାର କରିଛନ୍ତି । ଉଦ୍ଧାର କର୍ମଚାରୀମାନେ ନଦୀ କୂଳର ବିଭିନ୍ନ ସ୍ଥାନରେ ମୃତଦେହ ଖୋଜିବାରେ ବ୍ୟସ୍ତ ଥିବାବେଳେ ନିଖୋଜ ବସ୍ ଏବଂ ଯାତ୍ରୀଙ୍କୁ ବର୍ତ୍ତମାନ ସୁଦ୍ଧା ଖୋଜା ଚାଲିଛି।
ସରକାରୀ ଅଧିକାରୀଙ୍କ ସୂଚନା ଅନୁଯାୟୀ ମୃତଦେହ ଚିହ୍ନଟ କରାଯାଇଛି ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରାଯାଇଛି। ମୃତକଙ୍କ ମଧ୍ୟରୁ ତିନିଜଣ ଭାରତୀୟ ଥିବାବେଳେ ଅବଶିଷ୍ଟ ଚାରି ଜଣ ନେପାଳୀ ନାଗରିକ ବୋଲି ଜଣା ପଡିଛି। ବସ୍ ଗୁଡିକ କାଠମାଣ୍ଡୁକୁ ଦେଶର ଦକ୍ଷିଣ ଭାଗ ସହିତ ସଂଯୋଗ କରୁଥିବା ପ୍ରମୁଖ ରାଜପଥରେ ଯାତ୍ରା କରୁଥିବାବେଳେ ଅଘଟଣ ଘଟିଥିଲା । କାଠମାଣ୍ଡୁଠାରୁ ପ୍ରାୟ ୧୨୦ କିଲୋମିଟର ଦୂରରେ ଥିବା ସିମାଲଟାଲ ନିକଟରେ ଶୁକ୍ରବାର ସକାଳେ ଏହି ବସ୍ ନଦୀରେ ଭାସି ଯାଇଥିଲା।
ଉଦ୍ଧାର କାର୍ଯ୍ୟରେ ସହାୟତା କରିବାକୁ ଅତିରିକ୍ତ ଉଦ୍ଧାରକାରୀ ଦଳ ଏବଂ ସୁରକ୍ଷା ବାହିନୀ ପଠାଯାଇଛି। ସୂଚନା ଅନୁଯାୟୀ ଗୋଟିଏ ବସ୍ ୨୪ ଜଣଙ୍କୁ ନେଇ ଯାଉଥିବା ବେଳେ ଅନ୍ୟଟି ୪୨ ଜଣଙ୍କୁ ନେଇ ଯାଉଥିଲା, କିନ୍ତୁ କୁହାଯାଉଛି କି ରାସ୍ତାରୁ ଅଧିକ ଲୋକ ବସ୍ରେ ଚଢି ଥାଇପାରନ୍ତି। ତେବେ ଜୁନ୍ ମାସରୁ ଆରମ୍ଭ ହୋଇ ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ମୌସୁମୀ ପ୍ରଭାବରେ ନେପାଳରେ ପ୍ରବଳ ବର୍ଷା ହୋଇଥାଏ, ଯାହା ପ୍ରଭାବରେ ସାଧାରଣତ ଦେଶରେ ଭୂସ୍ଖଳନ ଦେଖିବାକୁ ମିଳିଥାଏ ।