ବିଷାକ୍ତ ବାୟୁ ଘେରରେ ରହିଛି ରାଜଧାନୀ ଦିଲ୍ଲୀ | ଅଣନିଶ୍ବାସୀ ଆକ୍ତାମାକ୍ତା ହୋଇଗଲେଣି ଦିଲ୍ଲୀବାସୀ । ଚାରିଆଡ଼େ ଯୁଆଡେ ଦେଖିଲେ ଖାଲି ଧୂଆଁମୟ । ସବୁଆଡେ ପ୍ରଦୂଷିତ ଧୂଳି ଓ ଧୂଆଁର କୁହୁଡ଼ି ଭଳି ଆସ୍ତରଣ । ଭିଜିବିଲିଟି କମୁଛି, ଶ୍ବାସକ୍ରିୟାରେ ବି କଷ୍ଟ ହେଉଛି । ଲଗାତାର ଛଅ ଦିନ ଧରି ବିଷ ବଳୟରେ ରହିଛନ୍ତି ଦିଲ୍ଲୀବାସୀ । ସମଗ୍ର ଦିଲ୍ଲୀ ଏହି ପ୍ରଦୂଷଣ ମଧ୍ୟରେ ରହିଥିବା ବେଳେ ଏପରି ପରିସ୍ଥିତି ଆହୁରି ଆଗକୁ ଲାଗି ରହିବ ବୋଲି ଜଣା ପଡ଼ିଛି । ଗୋଟେ ପଟେ ବିଷ ବଳୟ ଭିତରେ ଦିଲ୍ଲୀବାସୀ କଲବଲ ହେଉଥିବା ବେଳେ, ଏହାକୁ କମ କରିବାକୁ ସରକାର ସେପରି କୌଣସି ପଦକ୍ଷେପ ନେଉ ନଥିବା ଜଣା ପଡ଼ିଛି । ଏଭଳି ପରିସ୍ଥିତିକୁ ଦେଖି ଦିଲ୍ଲୀରେ ସରକାରୀ ଏବଂ ଘରୋଇ ପ୍ରାଥମିକ ବିଦ୍ୟାଳୟଗୁଡିକୁ ଛୁଟି କରାଯାଇଛି। ପ୍ରଦୂଷଣ ବୃଦ୍ଧି ପାଉଥିବା ଯୋଗୁଁ ଦିଲ୍ଲୀରେ ନିର୍ମାଣ କାମ ବ୍ୟାନ୍ କରାଯାଇଛି । ନିର୍ମାଣ ଓ ଭଙ୍ଗାଭଙ୍ଗି କାମ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି ହୋଇଛି । କେବଳ ରେଳ, ଏୟାରପୋର୍ଟ, ହସ୍ପିଟାଲରେ ନିର୍ମାଣ କାର୍ଯ୍ୟକୁ ଅନୁମତି ମିଳିଥିବା ବେଳେ ଏପଟେ ଡିଜେଲ୍ ଚାଳିତ ବସ୍ ଓ ଟ୍ରକ୍ ପ୍ରବେଶ ଉପରେ ଲଗାଯାଇଛି କଟକଣା । ଆଗାମୀ ୧୫ ଦିନ ଅତି ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ।
ଅନ୍ୟପଟେ, ବାୟୁ ପ୍ରଦୂଷଣ ପାଇଁ ଦିଲ୍ଲୀରେ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ଦେଖା ଦେଲାଣି । ଭୟଙ୍କର ପ୍ରଦୂଷଣ ପାଇଁ ବିଶେଷ କରି ଶ୍ବାସରୋଗୀଙ୍କ ସମସ୍ୟା ବୃଦ୍ଧି ପାଇଛି । ଏହାର ପ୍ରଭାବରେ ଅଧିକରୁ ଅଧିକ ରୋଗୀ ଶ୍ବାସ, ଥଣ୍ତାରେ ପୀଡ଼ିତ ହେଉଛନ୍ତି । ସବୁ ବୟସର ବ୍ୟକ୍ତିଙ୍କୁ ବାୟୁ ପ୍ରଦୂଷଣ ପ୍ରଭାବିତ କରୁଛି । ତେବେ ପଡ଼ୋଶୀ ରାଜ୍ୟ ପାଇଁ ଦିଲ୍ଲୀର ପ୍ରଦୂଷଣ ବଢ଼ୁଛି । ପଡ଼ୋଶୀ ରାଜ୍ୟରେ ଲଗାତାର ଭାବେ ଚାଷ ପାଇଁ ଜମିରେ ନିଆଁ ଲଗାଉଛନ୍ତି ଚାଷୀ । ଫଳରେ ପ୍ରଦୂଷିତ ବାୟୁ ଅନ୍ୟ କେଉଁ ଆଡ଼େ ଯାଇ ନପାରି ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳକୁ ପ୍ରଦୂଷିତ କରୁଛି । ଦେଶର ସର୍ବାଧିକ ପ୍ରଦୂଷିତ ସହର ତାଲିକା ମଧ୍ୟରେ ଦିଲ୍ଲୀ ସର୍ବାଗ୍ରେ ରହିଥିବା ଜଣା ପଡ଼ିଛି । ଦିଲ୍ଲୀ ପଛକୁ ଫରିଦାବାଦ, ଗାଜିଆବାଦ, ହିସାର, ଗୁରୁଗ୍ରାମ ଓ ନୋଏଡ଼ା ରହିଛି ।
ଅଧିକ ପଢ଼ନ୍ତୁ : ଆସନ୍ତା ଦୁଇ ଦିନ ପରେ ବଦଳିବ ଓଡିଶାର ପାଣିପାଗ