ପଶ୍ଚିମା ଝଡ଼ ଓ ପୂର୍ବାଳୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗିରହିଛି । କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇଯାଇଛି । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ମଧ୍ୟ ଏହି ଦୁଇ ପାଣିପାଗର ନିୟାମକ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିବା ସହ କିଛି କିଛି ସ୍ଥାନରେ ବର୍ଷା ହୋଇପାରେ । ଆସନ୍ତାକାଲି ଉପକୂଳ ଓଡ଼ିଶା ସମେତ କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ଆଦି ଜିଲ୍ଲାର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ୫ ତାରିଖ ଦିନ ଦକ୍ଷିଣ ଉପକୂଳ ଓଡ଼ିଶା ସମେତ କନ୍ଧମାଳ, ରାୟଗଡ଼ା, ମାଲକାନଗିରି, କୋରାପୁଟ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହୋଇପାରେ । ୭ରୁ ରାଜ୍ୟର ରାତିର ପାରଦସ୍ତର ଖସିବ ଓ ଥଣ୍ଡା ଫେରିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ।
ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ ୭ ତାରିଖରୁ ରାଜ୍ୟର ପାଗରେ ପରିବର୍ତ୍ତନ ଆସିବ। ପାଗ ଶୁଖିଲା ରହିବ। ଧୀରେଧୀରେ ରାତି ତାପମାତ୍ରା ଖସିବ ଓ ଥଣ୍ଡା ପୁଣି ଆରମ୍ଭ ହୋଇପାରେ । ରାଜଧାନୀ ଭୁବନେଶ୍ବର ସମେତ ଏହାର ଆଖପାଖ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିବ । ଅପରାହ୍ନ ଆଡ଼କୁ ହାଲୁକା ବର୍ଷା ମଧ୍ୟ ହୋଇପାରେ । ରାଜ୍ୟରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୩ ଡିଗ୍ରି ଓ ସର୍ବନିମ୍ନ ରାତି ତାପମାତ୍ରା ୨୩ ଡିଗ୍ରି ମଧ୍ୟରେ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି ।