ଭୁବନେଶ୍ୱର: ରାଜ୍ୟରେ ଏବେ ହଇଜା ବ୍ୟାପିବାରେ ଲାଗିଛି । ଗୋଟେ ପରେ ଗୋଟେ ଜିଲ୍ଲାକୁ ମାଡ଼ିଚାଲିଥିବାରୁ ସ୍ୱାସ୍ଥ୍ୟବିଭାଗର ଚିନ୍ତା ବଢାଇଛି । ମଙ୍ଗଳବାର ଡାଇରିଆକୁ ନେଇ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ସ୍ୱାସ୍ଥ୍ୟ ସଚିବ, ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଏବଂ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବି ସାମିଲ ଥିଲେ । ରାଜ୍ୟର ସବୁ ଜିଲ୍ଲାର ଜିଲ୍ଲାପାଳ ବି ଏହି ବୈଠକରେ ସାମିଲ ଥିଲେ । ତେବେ ବୈଠକ ପରେ ସବୁ ଜିଲ୍ଲାକୁ ସର୍ତକ କରାଇଛନ୍ତି ସ୍ୱାସ୍ଥ୍ୟ ସଚିବ ।
ସ୍ୱାସ୍ଥ୍ୟ ସଚିବ ଅଶ୍ୱତୀ ଏସ୍ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଯେଉଁ ରୋଗୀ ହସ୍ପିଟାଲରେ ଆଡମିଟ୍ ହେଉଛନ୍ତି ତାଙ୍କୁ ୨୪ ଘଣ୍ଟିଆ ନୀରିକ୍ଷଣରେ ରଖିବାକୁ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଡାଇରିଆ ନେଇ ଆଶା, ଅଙ୍ଗନବାଡି ସଚେତନ କରିବା ସହିତ ଗାଁ ଗାଁରେ ମାଇକରେ ପ୍ରଚାର ଚାଲିଛି । ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଏହି ପଦକ୍ଷେପ ଜାରି ରହିବ ବୋଲି ସେ କହିଛନ୍ତି । ଆସନ୍ତାକାଲି କେନ୍ଦ୍ରୀୟ ଟିମ୍ ସହ ଆଲୋଚନା ହେବ । ଯେତିକି ପରୀକ୍ଷା ହୋଇଥିଲା ସେଥିରୁ ୧୦% କଲେରା ବାହାରିଛି’ ।
ଅନ୍ୟପଟେ କେନ୍ଦ୍ରୀୟ ଟିମ୍ ମଧ୍ୟ ଗ୍ରାଉଣ୍ଡରେ ଅଛନ୍ତି । ଆସନ୍ତାକାଲି କେନ୍ଦ୍ରୀୟ ଟିମ୍ ସହିତ ରାଜ୍ୟ ସରକାର ଆଲୋଚନା କରିବେ । ଏହାସହ ମୌସୁମୀ ବର୍ଷା ହେଉଛି, ତେଣୁ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ।