ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ଦିଲ୍ଲୀରେ ମଙ୍ଗଳବାର ଭୀଷଣ ବର୍ଷାକୁ ପବନ ବହିଛି । ଫଳରେ ଦିଲ୍ଲୀର ଅଧିକାଂଶ ସ୍ଥାନରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଛି । ଆଖପାଖ ଅଞ୍ଚଳ ଯେପରିକି ନୋଏଡ଼ା, ଗୁରୁଗ୍ରାମ ଏବଂ ଗାଜିଆବାଦରେ ଲୋକ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି । ସେପଟେ ଖରାପ ପାଣିପାଗ ଯୋଗୁଁ ଦିଲ୍ଲୀ ବିମାନ ବନ୍ଦରରୁ ୧୨ଟି ବିମାନର ଗତି ପଥ ପରିବର୍ତ୍ତନ କରାଯାଇଛି ।
ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଅପରାହ୍ନ ୩ଟାରୁ ୪ଟା ମଧ୍ୟରେ ଥିବା ଫ୍ଲାଇଟକୁ ଅନ୍ୟ ରୁଟ୍ ଦେଇ ଡାଇଭର୍ଟ କରାଯାଇଥିବା ଜଣାପଡ଼ିଛି । ଯାତ୍ରୀମାନଙ୍କୁ ସେମାନଙ୍କର ଏୟାର ଲାଇନ୍ସ ସହିତ ସମ୍ପର୍କ କରିବାକୁ ପରାମର୍ଶ ଦିଆଯାଇଛି ।
ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଦିଲ୍ଲୀରେ ଚଳିତ ବର୍ଷ ମୌସୁମୀ ୧୦ ଦିନ ପୂର୍ବରୁ ଛୁଇଁବ । ଜୁନ ତୃତୀୟ ସପ୍ତାହକୁ ମୌସୁମୀ ଦିଲ୍ଲୀରେ ପ୍ରବେଶ କରିବ । ଫଳରେ ପ୍ରବଳ ବର୍ଷ ହେବାର ସମ୍ଭାବନା ରହିଛି । ଏହା ସହିତ ତାପମାତ୍ରାରେ ମଧ୍ୟ ପରିବର୍ତ୍ତନ ହେବ ।