ନାଗପୁର: ପୁଣି ଥରେ ବିମାନରେ ବୋମା ଧମକ ମାମଲା ସାମ୍ନାକୁ ଆସିଛି । ଏହି ବିମାନ କୋଚିରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିଲା । ବୋମା ଧମକ ମିଳିବା ପରେ ବିମାନକୁ ନାଗପୁରରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି । ଏହି ବିମାନ ଇଣ୍ଡିଗୋ ଏୟାରଲାଇନ୍ସର । ଗତ ପାଞ୍ଚ ଦିନରେ ବିମାନରେ ବୋମା ଧମକ ମିଳିବାର ଏହା ତୃତୀୟ ଘଟଣା । ଏହା ପୂର୍ବରୁ ସୋମବାର ଲୁଫତାଂସାର ବିମାନକୁ ମଧ୍ୟ ବୋମାର ଧମକ ମିଳିଥିଲା । ଏହି ବିମାନ ଜର୍ମାନୀର ଫ୍ରାଙ୍କଫର୍ଟରୁ ହାଇଦ୍ରାବାଦ ଅଭିମୁଖେ ଯାତ୍ରା କରୁଥିିଲା । ପୁଣି ଶୁକ୍ରବାର ଫୁକେତରୁ ଉଡାଣ ଭରିଥିବା ଏୟାର ଇଣ୍ଡିଆର ବିମାନକୁ ମଧ୍ୟ ବୋମାର ଧମକ ମିଳିଥିଲା । ଏହା ପରେ ବିମାନକୁ ପୁଣି ଫୁକେତ ବିମାନ ବନ୍ଦରରେ ଅବତରଣ କରାଯାଇଥିଲା ।
ସଦ୍ୟତମ ଘଟଣାରେ ଆଜି ଇଣ୍ଡିଗୋ ଏୟାରଲାଇନ୍ସର ବିମାନକୁ ନାଗପୁର ବିମାନ ବନ୍ଦରରେ ସୁରକ୍ଷିତ ଅବତରଣ କରାଯାଇଛି । ଏଠାରେ ସୁରକ୍ଷା ଏଜେନ୍ସି ପୂରା ସତର୍କତାର ସହ ସମସ୍ତ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଛନ୍ତି । ଏହା ପରେ ପୂରା ପ୍ରଟୋକୋଲ ଅନୁସାରେ ବିମାନକୁ ତନ୍ନ ତନ୍ନ ଯାଞ୍ଚ କରାଯାଇଛି । ଏହି ଘଟଣା ଏଥିପାଇଁ ଗମ୍ଭୀର ଥିଲା କାରଣ ଧମକ ଦେଇଥିବା ବ୍ୟକ୍ତି ବିମାନର ନମ୍ବର ବି କହିଥିଲେ । ଯେଉଁ ସମୟରେ ଏହି ଧମକ ମିଳିଲା ବିମାନ କୋଚିରୁ ଉଡାଣ ଭରୁଥିଲା । ଧମକର ଗମ୍ଭୀରତାକୁ ଦୃଷ୍ଟିରେ ରଖି ବିମାନକୁ ନାଗପୁରକୁ ଡାଇଭର୍ଟ କରି ସେଠାରେ ଅବତରଣ କରାଯାଇଛି ।
ସୂଚନାଯୋଗ୍ୟ, ଆଜି ବି ଏୟାର ଇଣ୍ଡିଆର ଏକ ବିମାନ ସାନ ଫ୍ରାନ୍ସସିସ୍କୋରୁ ମୁମ୍ବାଇ ଅଭିମୁଖେ ଉଡାଣ ଭରିବା ସମୟରେ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା । ଏହି କାରଣରୁ କୋଲକାତାରେ ବିମାନକୁ ଅବତରଣ କରାଯାଇଥିଲା । ଏହି କାରଣରୁ ନେତାଜୀ ସୁଭାଷ ଚନ୍ଦ୍ର ବୋସ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଚାଞ୍ଚଲ୍ୟ ଖେଳି ଯାଇଥିଲା । ଏୟାର ଇଣ୍ଡିଆର ବୋଇଙ୍ଗ ୭୭୭-୨୦୦ ଏଲଆରରେ ୨୧୧ ଜଣ ଯାତ୍ରୀ ଥିଲେ । ତେବେ ବିମାନର ଯାନ୍ତ୍ରିକ ତ୍ରୁଟିରେ ସୁଧାର କରାଯାଇଥିଲା ।