କୋଲକାତା: ସାନ ଫ୍ରାନ୍ସିସ୍କୋରୁ ମୁମ୍ବାଇ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନରେ ହଠାତ୍ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। ଫଳରେ ଯାତ୍ରୀମାନଙ୍କୁ କୋଲକାତାରେ ହିଁ ଓହ୍ଲାଇବାକୁ ପଡିଛି। ବିମାନର ଗୋଟିଏ ଇଞ୍ଜିନ ଖରାପ ହୋଇଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି। ତେଣୁ ବିମାନଟିକୁ କୋଲକାତା ବିମାନବନ୍ଦରରେ ଅବତରଣ କରାଯାଇ ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇ ଦିଆଯାଇଛି।
ଏହି ଘଟଣା ସୋମବାର-ମଙ୍ଗଳବାର ଘଟିଛି। ଏୟାର ଇଣ୍ଡିଆର ବିମାନ ଏଆଇ୧୮୦ ରାତି ୧୨:୪୫ରେ କୋଲକାତା ବିମାନବନ୍ଦରରେ ଅବତରଣ କରିଥିଲା। କିନ୍ତୁ ଇଞ୍ଜିନରେ ତ୍ରୁଟି ଯୋଗୁଁ ବିମାନଟି ପୁଣି ଥରେ ଉଡ଼ାଣ ଆରମ୍ଭ କରିବାରେ ବିଳମ୍ବ ହୋଇଥିଲା। ଆଜି ସକାଳ ୫ଟା ୨୦ରେ ଏକ ଘୋଷଣା ମାଧ୍ୟମରେ ଯାତ୍ରୀମାନଙ୍କୁ ଓହ୍ଲାଇବାକୁ ଅନୁରୋଧ କରାଯାଇଥିଲା। ବିମାନର କ୍ୟାପ୍ଟେନ୍ ଯାତ୍ରୀମାନଙ୍କୁ କହିଥିଲେ ଯେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।
ଏୟାର ଇଣ୍ଡିଆ ପାଇଁ ଗୋଟିଏ ପରେ ଗୋଟିଏ ଅସୁବିଧା ପହଞ୍ଚୁଛି। ହଂକଂରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ଏକ ବୋଇଙ୍ଗ ୭୮୭-୮ ଡ୍ରିମଲାନର ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଛି । ଉଡାଣ ଭରିବାର କିଛି ମିନିଟ୍ ପରେ ଯାନ୍ତ୍ରିକ ତ୍ରୁଟି ଥିବା ଜଣା ପଡିବା ପରେ ବିମାନକୁ ପୁଣି ହଂକଂ ଫେରିବାକୁ ପଡିଛି। ହଂକଂରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ଏୟାର ଇଣ୍ଡିଆର ବିମାନ ଏଆଇ ୩୧୫ ରବିବାର ରାତି ୧୧ଟା ୫୯ ମିନିଟରେ ହଂକଂରୁ ଉଡାଣ ଆରମ୍ଭ କରିଥିଲା। ରେକର୍ଡ ଅନୁଯାୟୀ ଏହି ଉଡାଣ ତିନି ଘଣ୍ଟା ୯ ମିନିଟ୍ ବିଳମ୍ବରେ ଯାତ୍ରା ଆରମ୍ଭ କରିଥିଲା। ତେବେ ଉଡାଣ ଭରିବାର କିଛି ମିନିଟ୍ ପରେ ପାଇଲଟଙ୍କୁ ଆକାଶରେ ଯାନ୍ତ୍ରିକ ତ୍ରୁଟି ସମସ୍ୟା ଥିବା ସନ୍ଦେହ ହୋଇଥିଲା। ଏହା ଉପରେ ପାଇଲଟ ବିମାନକୁ ସମୁଦ୍ର ଉପରେ କିଛି ସମୟ ଉଡାଇଥିଲେ।
ଏହା ପୂର୍ବରୁ ଗତ ୧୨ ତାରିଖ ଦିନ ଅହମଦାବାଦରେ ଘଟିଥିବା ଦୁର୍ଘଟଣାକୁ ସମଗ୍ର ବିଶ୍ବବାସୀ କେବେ ଭୁଲିପାରିବେ ନାହିଁ, ଯେଉଁ ବିମାନ ଦୁର୍ଘଟଣାରେ ପ୍ରାୟ ୨୭୦ ଜଣଙ୍କର ମୃତ୍ୟୁ ଘଟିଛି।
ଅଧିକ ପଢ଼ନ୍ତୁ: ‘ଯୁବ ଭାରତୀୟ ଦଳକୁ ଇଂଲଣ୍ଡ ହାଲୁକା ଭାବରେ ନେଉନାହିଁ’