ମୁମ୍ବାଇ: ଯେଉଁ ବୟସରେ ପୁଅ ବାପାକୁ ମୁଖାଗ୍ନି ଦେଇଥାଆନ୍ତା ସେହି ବୟସରେ ବାପା ଆଜି ତା ପୁଅକୁ ଦେଉଛନ୍ତି ଶେଷ ଶ୍ରଦ୍ଧାଞ୍ଜଳୀ । ନିସ୍ତବ୍ଦ ନୀରବ ହୋଇ ପୁଅର ପାର୍ଥିବ ଶରୀର ପାଖରେ ହାତ ଯୋଡ଼ି ଛିଡ଼ା ହୋଇଛି ୯୦ ବର୍ଷିୟ ଅସହାୟ ବୃଦ୍ଧ ପିତା । ଆଉ ମନେ ମନେ ନିଶ୍ଚିତ ଭାବୁଥିବେ, ଭଗବାନ ଆଜି ଏ କି ଦିନ ଦେଖାଇଲ, ମୋ ପୁଅ ବଦଳରେ ମୋତେ କାହିଁକି ନେଲ ନାହିଁ । ଅହମ୍ମଦାବାଦ ବିମାନ ଦୁର୍ଘଟଣାର ପ୍ରାଣ ହରାଇଥିବା ପାଇଲଟ୍ କ୍ୟାପଟେନ୍ ସୁମିତ ସଭରୱାଲଙ୍କୁ ତାଙ୍କ ପିତା ପୁଷ୍କରାଜ ସଭରୱାଲ ଲୁହ ଭିଜା ଆଖିରେ ଅନ୍ତିମ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି ।
ମୃତ ପାଇଲଟ୍ ସୁମିତଙ୍କ ପାର୍ଥିବ ଶରୀର ଗୁଜରାଟରୁ ତାଙ୍କର ମୁମ୍ବାଇସ୍ଥିତ ପୋୱାଇ ବାସଭବନରେ ପହଁଚିଛି । ଏହା ପରେ ସମଗ୍ର ଅଞ୍ଚଳରେ ଶୋକର ବାତ୍ତାବରଣ ସୃଷ୍ଟି ହୋଇଛି । ପୁଅର ମର ଶରୀର ପାଖରେ ଓଁ ନମଃ ଶିବାୟ ମନ୍ତ୍ର ପଢ଼ି ପଢ଼ି ଭାଙ୍ଗିଥିଲେ ପିତା ପୁଷ୍କରାଜ । କାନ୍ଦି କାନ୍ଦି ପୁଅକୁ ଅନ୍ତିମ ବିଦାୟ ଦେଇଛନ୍ତି ବାପା । ନିକଟ ସମ୍ପର୍କୀୟଙ୍କ କହିବା ୫୬ ବର୍ଷିୟ କ୍ୟାପଟେନ୍ ସୁମିତ ଚାକିରିରୁ ଅବସର ନେବାକୁ ସ୍ଥିର କରିଥିଲେ । ସେ ବାକି ସମୟ ତାଙ୍କ ବୃଦ୍ଧ ପିତାଙ୍କ ସେବାରେ ବିତାଇବାକୁ ଚାହୁଁଥିଲେ । ଖୁବଶୀଘ୍ର ସେ ଚାକିରିରୁ ଅବସର ନେବେ ବୋଲି ବାପାଙ୍କୁ କଥା ଦେଇଥିଲେ । ହେଲେ ସେ ବାପାଙ୍କୁ ଦେଇଥିବା କଥାକୁ ପୂରଣ କରିପାରିଲେ ନାହିଁ ସୁମିତ । ପୁଅର ମୃତ୍ୟୁ ଖବର ପାଇବା ପରଠାରୁ ତାଙ୍କ ବାପା ଖାଲି ଆଖିରୁ ଲୁହ ଗଡ଼ାଉଥିବାବେଳେ ସମ୍ପୂର୍ଣ୍ଣ ନୀରବ ହୋଇଯାଇଛନ୍ତି ।
ଗତ ଜୁନ ୧୨ ତାରିଖରେ ଅହମ୍ମଦାବାଦରୁ ଲଣ୍ଡନ ଗାଟୱିକ୍ ଯାଉଥିବା ଏୟାର ଇଣ୍ଡିଆ ବିମାନ ଏଆଇ ୧୭୧ ଉଡ଼ାଣ ଆରମ୍ଭର ମାତ୍ର ଗୋଟିଏ ମିନିଟ୍ ମଧ୍ୟରେ କ୍ରାସ୍ ହୋଇଯାଇଥିଲା । କ୍ୟାପଟେନ୍ ସୁମିତ ସଭରୱାଲ ୩ ଥର ଏୟାର ଟ୍ରାଫିକ୍ କଣ୍ଟ୍ରୋଲକୁ ମେଡେ କଲ୍ କରିଥିଲେ । ଶେଷ ପର୍ଯ୍ୟନ୍ତ ଯାତ୍ରୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ବିମାନଟି ବିଜେ ମେଡ଼ିକାଲ କଲେଜ ହଷ୍ଟେଲରେ ପିଟି ହୋଇ ଜଳି ଯାଇଥିଲା । ଏଥିରେ ଦୁଇ ପାଇଲଟ, କ୍ର୍ୟୁ ମେମ୍ବର, ପୂର୍ବତନ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ସମେତ ୨୪୧ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହା ସହିତ ମେଡ଼ିକାଲ ଛାତ୍ର ଏବଂ କର୍ମଚାରୀଙ୍କର ମୃତ୍ୟୁ ହୋଇଛି । ଡିଏନଏ ସାମ୍ପଲ ପରୀକ୍ଷା କରାଯାଇ ଜଣକ ପରେ ଜଣକ ମୃତ ଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଉଛି । ତେବେ ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ ।