ଭୁବନେଶ୍ୱର: ଆଉ ମାତ୍ର ନଅଟା ଦିନ ପରେ ଅନୁଷ୍ଠିତ ହେବ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା । ଏଥିରେ ଯୋଗ ଦେବାକୁ ରାଜ୍ୟପାଳ ଡା. ହରିବାବୁ କମ୍ଭମପାଟିଙ୍କୁ ନିମନ୍ତ୍ରଣ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡା ଅରବିନ୍ଦ ପାଢ଼ୀ । ମୁଖ୍ୟ ପ୍ରଶାସକ ଶ୍ରୀଯୁକ୍ତ ପାଢ଼ୀ ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି । ରାଜ୍ୟପାଳ ଏହି ଆମନ୍ତ୍ରଣ ପାଇଁ ଡା ପାଢ଼ୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ସହିତ ରାଜ୍ୟପାଳ କହିଛନ୍ତି ଯେ ଘୋଷଯାତ୍ରା ଓଡ଼ିଶାର ଐତିହ୍ୟ ଓ ଆସ୍ଥାର ପ୍ରତୀକ । ଏହି ପବିତ୍ର ଅବସରରେ ଅଂଶଗ୍ରହଣ କରିବାକୁ ଅପେକ୍ଷା କରିଛି ବୋଲି କହିଛନ୍ତି ରାଜ୍ୟପାଳ ।
ବର୍ତ୍ତମାନ ମହାପ୍ରଭୁ ଦେବସ୍ନାନ ପୂର୍ଣ୍ଣିମାଠାରୁ ଅସୁସ୍ଥ ହୋଇ ଅଣସର ଘରେ ଗୁପ୍ତ ପୂଜା ପାଉଛନ୍ତି । ଆସନ୍ତା ଜୁନ ୨୭ ତାରିଖରେ ପବିତ୍ର ଘୋଷଯାତ୍ରା ଅନୁଷ୍ଠିତ ହେବ । ସେପଟେ ରଥ ଖଳା ମଧ୍ୟ ବେଶ ଚଳଚଞ୍ଚଳ ରହିଛି । ରଥ କାମ ମଧ୍ୟ ସୁରୁଖରେ ଚାଲିଛି । ସୋମବାର ତିନି ରଥରେ କଇଁଚି ଓ ଅନ୍ଧାରି ତାଗ କାମ ଶେଷ ହୋଇଛି। ଏହାସହ ରଥଖଳାରେ ଚନ୍ଦ୍ରଶାଳି କାମ ଆରମ୍ଭ ହୋଇ ହୋଇଛି। ଆଜି ରଥରେ ପାରାଭାଡ଼ି ଉଠିବା ସହ ୧୨ ପରସ୍ତ ପୋଟଳ ଉଠ ଯିବାର କାର୍ଯ୍ୟକ୍ରମ ରହିଛି । ରଥରେ କଇଁଚିରେ ୮/୨ ମାପର କାଠ ‘ଅନ୍ଧାରି ତାଗ’ ଦୁଇଟି ଖାପ କରାଯାଇ ସେଟିଂ କରାଯାଇଛି ଏବଂ ୧୩ ପରସ୍ତ ପୋଟଳ ନିର୍ମାଣ ଶେଷ ହୋଇଛି ।