ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଭିଯୋଗରେ ଧରାପଡ଼ିଥିବା ଦୁଇ ଅଭିଯୁକ୍ତ କଂଗ୍ରେସ କାଉନସିଲର ଅନୱର କାଦରୀଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସେମାନେ କହିଛନ୍ତି, କାଦରୀ ସେମାନଙ୍କୁ ହିନ୍ଦୁ ଝିଅମାନଙ୍କୁ ବିବାହ କରିବା ଏବଂ ସେମାନଙ୍କୁ ବେଶ୍ୟାବୃତ୍ତିରେ ନିୟୋଜିତ କରିବାକୁ ଟଙ୍କା ଦେଇଥିଲେ। ପୋଲିସ କାଦରୀଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି। ଏଥି ସହିତ ଫେରାର କାଦରୀଙ୍କୁ ଖୋଜୁଛି। ଏହି ଘଟଣା ଗତ ୧୫ ତାରିଖରେ ଘଟିବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ଅଭିଯୋଗ ହେଉଛି ଯେ କାଦରୀ ହିନ୍ଦୁ ଝିଅମାନଙ୍କୁ ବିବାହ କରିବା ଏବଂ ସେମାନଙ୍କୁ ବେଶ୍ୟାବୃତ୍ତି ନିୟୋଜିତ କରିବା ପାଇଁ ମୁସଲିମ ଯୁବକମାନଙ୍କୁ ଲକ୍ଷଲକ୍ଷ ଟଙ୍କା ଦେଇଥିଲେ। ପୋଲିସ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କାଦରୀଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି।
ବାଣଗଙ୍ଗା ପୋଲିସ ଦୁଇ ଝିଅଙ୍କ ଅଭିଯୋଗ କ୍ରମେ ଅଲତାଫ ଖାନ ଏବଂ ସାହିଲ ଖାନଙ୍କ ବିରୋଧରେ ଦୁଷ୍କର୍ମ ଏବଂ ମଧ୍ୟପ୍ରଦେଶ ଧାର୍ମିକ ସ୍ୱାଧୀନତା ଆଇନ ଅନୁଯାୟୀ ମାମଲା ରୁଜୁ କରିଛି। ଏହି ଝିଅମାନେ ସାନୱେର ରୋଡରେ ରହୁଥିବା ଅଲତାଫ ଏବଂ ସାହିଲଙ୍କୁ ଅଭିଯୁକ୍ତ କରିଥିଲେ। ପୋଲିସ ପଚରାଉଚରା ସମୟରେ ଅଭିଯୁକ୍ତ କାଉନସିଲର ଅନୱର କାଦରୀଙ୍କ ନାମ ନେଇଥିଲେ।
ଅଭିଯୁକ୍ତମାନେ ପୋଲିସକୁ କହିଥିଲେ, ଅନୱର କାଦରୀ ହିନ୍ଦୁ ଝିଅମାନଙ୍କୁ ବିବାହ କରି ବେଶ୍ୟାବୃତ୍ତି ବ୍ୟବସାୟରେ ନିୟୋଜିତ କରିବାକୁ କହିଥିଲେ। ଟିଆଇ ସିୟାରାମ ସିଂହ ଗୁର୍ଜର ଗଣମାଧ୍ୟମକୁ କହିଛନ୍ତି ଯେ ଅଭିଯୁକ୍ତଙ୍କ ବୟାନ ଆଧାରରେ ଅନୱର କାଦରୀଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର ଅଭିଯୋଗ କରାଯାଇଛି। ପୋଲିସ କାଦରୀଙ୍କ ଘରେ ଚଢାଉ କରିଥିଲା, କିନ୍ତୁ ସେ ଫେରାର୍ ହୋଇଯାଇଥିଲେ।
ଅଭିଯୁକ୍ତ ସାହିଲ ଖାନ ଜଣେ ୧୮ ବର୍ଷୀୟା ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସେ ପ୍ରାୟ ପାଞ୍ଚ ମାସ ପୂର୍ବେ ନିଜକୁ ହିନ୍ଦୁ ପରିଚୟ ଦେଇ ଇନଷ୍ଟାଗ୍ରାମରେ ଯୁବତୀଙ୍କ ସହ ବନ୍ଧୁତା କରିଥିଲା। ମେ ୧୨ ତାରିଖରେ ସେ ଯୁବତୀଙ୍କୁ କଥାବାର୍ତ୍ତା ପାଇଁ ତାଙ୍କ ବନ୍ଧୁଙ୍କ ରୁମକୁ ନେଇ ବିବାହ ବାହାନାରେ ତାଙ୍କ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲା। ଏହା ପରେ ମେ ୩୦ ତାରିଖରେ ସେ ଯୁବତୀଙ୍କୁ ସ୍କିମ୍-୫୪ ସ୍ଥିତ ଏକ କାଫେରେ ଭେଟିବାକୁ ଡାକି ସେଠାରେ ମଧ୍ୟ ଦୁଷ୍କର୍ମ କରିଥିଲେ। ସାହିଲ ଯୁବତୀଙ୍କୁ ପରେ କହିଥିଲା, ସେ ଜଣେ ମୁସଲମାନ ଏବଂ ତାଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ ପଡ଼ିବ। ସେ ଯେତେ ଟଙ୍କା ମାଗିବେ ସେତେ ଦେବେ। ସେ ଏକ ସାମାଜିକ କାର୍ଯ୍ୟକ୍ରମରେ ଅନୱର କାଦରୀଙ୍କୁ ଭେଟିଥିଲେ। କାଦରୀ ତାଙ୍କୁ ଦୁଇ ଲକ୍ଷ ଟଙ୍କା ଦେଇଥିଲେ ଏବଂ ଏହି କାମକୁ ଆଗକୁ ନେବାକୁ କହିଥିଲେ।
ଦ୍ୱିତୀୟ ଅଭିଯୁକ୍ତ ଅଲତାଫ ମଧ୍ୟ ଅନୱରଙ୍କଠାରୁ ୧ ଲକ୍ଷ ଟଙ୍କା ନେଇଥିବା ସ୍ୱୀକାର କରିଛି। ପୋଲିସ ଏବେ ଅଭିଯୁକ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରୁଛି। କାଦରୀ ବ୍ୟତୀତ, ପୋଲିସ ଏହି ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ଲୋକଙ୍କ ବିଷୟରେ ମଧ୍ୟ ତଦନ୍ତ କରୁଛି।
ମୁସଲିମ ସଂଗଠନଗୁଡ଼ିକ ଏହି ଘଟଣାକୁ ନିନ୍ଦା କରିଛନ୍ତି ଏବଂ ଏହାକୁ ଏକ ରାଜନୈତିକ ଷଡଯନ୍ତ୍ର ବୋଲି କହିଛନ୍ତି। ସେମାନେ କହିଛନ୍ତି ଯେ ଏହି ଘଟଣାକୁ ମୁସଲମାନମାନଙ୍କୁ ବଦନାମ କରିବା ପାଇଁ ବ୍ୟବହାର କରାଯାଉଛି। ସେମାନେ ପୋଲିସଠାରୁ ନିରପେକ୍ଷ ତଦନ୍ତ ଏବଂ ଦୋଷୀମାନଙ୍କୁ ଦଣ୍ଡ ଦେବାକୁ ଦାବି କରିଛନ୍ତି।
ଅଧିକ ପଢ଼ନ୍ତୁ: ଅନଲାଇନରେ ଔଷଧ ବିତରଣ କରୁଥିବା କମ୍ପାନୀ ଉପରେ