ନୂଆଦିଲ୍ଲୀ: ବିହାର ରାଜନୀତି ପାଣିପାଗ ଏବେ ବେଶ ସରଗରମ ରହିଛି । ବିହାର ବିଧାନସଭା ନିର୍ବାଚନ ଉପରେ ଏବେ ସମଗ୍ର ଦେଶର ନଜର ରହିଛି । ବର୍ତ୍ତମାନ ନୀତିଶ ସରକାର ଥିବାବେଳେ ଆଗାମୀ ନିର୍ବାଚନରେ କିଏ ବାଜିମାତ କରିବ ସେଥିପାଇଁ ଅଙ୍କ କଷା ଚାଲିଛି । ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପୁଅ ନିଶାନ୍ତ କୁମାର ନିର୍ବାଚନ ମଇଦାନକୁ ଓହ୍ଲାଇବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ଏପରକି ନିଶାନ୍ତ ନାଳନ୍ଦା ବିଧାନସଭା ଆସରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଆଲୋଚନା ହେଉଛନ୍ତି । ଜନତା ଦଳ ୟୁନାଇଟେଡର ଜଣେ ସାଂସଦ ନିଶାନ୍ତଙ୍କୁ ନେଇ ଏପରି ମନ୍ତବ୍ୟ ଦେଇଛନ୍ତି । କିନ୍ତୁ ବାପା ନୀତିଶ ଏବଂ ପୁଅ ନିଶାନ୍ତଙ୍କ ମୁହଁରୁ ଏପରି କିଛି ସ୍ପଷ୍ଟ ଶୁଣିବାକୁ ମିଳି ନାହିଁ ।
ନାଳନ୍ଦାରୁ ସାଂସଦ ଥିବା ଜେଡିୟୁର କୌଶଳୈନ୍ଦ୍ର କୁମାରଙ୍କର ଏକ ଗଣମାଧ୍ୟମ ସହିତ ଆଲୋଚନାରେ ପଚରାଯାଇଥିଲା ଯେ ଶୁଣାଯାଉଛି ନିଶାନ୍ତ କୁମାର ନିର୍ବାଚନ ଲଢିବେ ବୋଲି ଶୁଣିବାକୁ ମିଳୁଛି, ଏହା ଉପରେ ଆପଣ ରାୟ କଣ ରହିବ ? ସାଂସଦ କହିଛନ୍ତି ସେ ନିର୍ବାଚନ ମଣ୍ଡଳୀରେ ତୃଣମୂଳ ସ୍ତରରେ ବୁଲୁଛନ୍ତି । ନିଶାନ୍ତ କୁମାର ଜଣେ ଭଲ ଏବଂ ପଢ଼ା ଲେଖା ବ୍ୟକ୍ତି । ତେଣୁ ସେ ନିର୍ବାଚନ ଲଢ଼ନ୍ତୁ ବୋଲି ଜନତାଙ୍କର ମଧ୍ୟ ଇଚ୍ଛା ଅଛି । ଆହୁରି ଭଲ ହେବ ଯଦି ନିଶାନ୍ତ ଏଠାରେ ନିର୍ବାଚନ ଲଢ଼ନ୍ତୁ । ନିଶାନ୍ତଙ୍କ ନିର୍ବାଚନ ଲଢ଼ିବା ଉପରେ ବହୁତ ଆଲୋଚନା ହେଉଛି । ଏଥିପାଇଁ ନିଶାନ୍ତଙ୍କୁ ଆଗୁଆ ଶୁଭେଚ୍ଛା ଜଣାଇଛନ୍ତି ।
କେଉଁ ଆସନରୁ ନିଶାନ୍ତ ନିର୍ବାଚନ ଲଢ଼ିବେ ପ୍ରଶ୍ନରେ ସାଂସଦ କୌଶଳେନ୍ଦ୍ର କହିଛନ୍ତି ନାଳନ୍ଦାର ଇସଲାମପୁର ଆସନରୁ ଲଢ଼ିଲେ ଭଲ ହେବ । ଏହି ଆସନ ଖାଲିପଡ଼ିଥିବାବେଳେ ନିଶାନ୍ତଙ୍କୁ ଜିତାଇବାର ଦାୟିତ୍ୱ ସେ ନିଜେ ନେବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଇସଲାମପୁର ଜନତା ନିଶାନ୍ତଙ୍କୁ ବିଜୟୀ କରାଇବେ ବୋଲି ଦୃଢ଼ୋକ୍ତି ପ୍ରକାସ କରିଛନ୍ତି ସାଂସଦ ।