ନୂଆଦିଲ୍ଲୀ: ଅହମ୍ମଦାବାଦ ବିମାନ ଦୁର୍ଘଟଣା ପରେ ଏବେ ଏୟାର ଇଣ୍ଡିଆକୁ ନେଇ ଅନେକ ଆଲୋଚନା କରାଯାଉଛି । ଆଜି ଗୋଟିଏ ଦିନରେ ଏୟାର ଇଣ୍ଡିଆର ପାଞ୍ଚ ପାଞ୍ଚଟି ବିମାନ ଉଡ଼ାଣକୁ ରଦ୍ଦ କରାଯାଇଛି । ଅହମ୍ମଦାବାଦରୁ ଲଣ୍ଡନ, ଦିଲ୍ଲୀରୁ ପ୍ୟାରିସ ଏବଂ ପ୍ୟାରିସରୁ ଦିଲ୍ଲୀ ଆସିଥିବାକୁ ଥିବା ବିମାନକୁ ବାତିଲ କରାଯାଇଛି । ବିମାନରେ ଯାନ୍ତ୍ରିକ ସମସ୍ୟା ଯୋଗୁଁ ଉଡ଼ାଣ ବାତିଲ କରାଯାଇଛି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ।
ଗତ ସପ୍ତାହରେ ଏୟାର ଇଣ୍ଡିଆର ଏଆଇ-୧୭୧ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ଏଆଇ-୧୫୯ ବିମାନ ଯାତ୍ରା କରିବ ବୋଲି ସ୍ଥିର ହୋଇଥିଲା । ଆଜି ଏଆଇ -୧୫୯ ଅହମଦାବାଦରୁ ଲଣ୍ଡନ ଯାତ୍ରା କରିବାର ଥିଲା । ଦିନ ଗୋଟାଏ ୧୦ ମିନିଟରେ ଉଡ଼ାଣ ଆରମ୍ଭ କରିବାର ସମୟ ଥିଲା । କିନ୍ତୁ ବିମାନରେ ଯାନ୍ତ୍ରିକ ସମସ୍ୟା ଯୋଗୁଁ ଉଡ଼ାଣକୁ ବାତିଲ କରାଯାଇଥିଲା । ଆସନ୍ତାକାଲି ୧୧ଟାରେ ବିମାନ ଯାତ୍ରା କରିବ ବୋଲି ସୂଚନା ଦିଆଯାଇଛି ।
ସେହିପରି ଦିଲ୍ଲୀରୁ ପ୍ୟାରିସ ଯିବାକୁ ଥିବା ଏଆଇ ୧୪୩ ବିମାନର ଉଡ଼ାଣକୁ ବାତିଲ କରାଯାଇଛି । ସେହିପରି ଜୁନ ୧୮ରେ ଆସିବାକୁ ଥିବା ଏଆଇ ୧୪୨ ବିମାନକୁ ବାତିଲ କରାଯାଇଛି । ଅନ୍ୟପକ୍ଷରେ ଦିଲ୍ଲୀରୁ ଦୁବାଇ ଯାତ୍ରା କରିବାକୁ ଥିବା ଏଆଇ୯୧୫ ବିମାନ ଯାତ୍ରାକୁ ରଦ୍ଦ କରାଯାଇଛି । ଏହାର କାରଣ ଜଣପଡ଼ି ନାହିଁ ଯ
ବିମାନ ବାତିଲ ପରେ ସମସ୍ତ ଯାତ୍ରୀଙ୍କ ରହଣି ପାଇଁ ବ୍ୟବସ୍ଥା କରାଯିବ ଏବଂ ଯେଉଁମାନେ ଟିକେଟ ବାତିଲ କରିବେ ସେମାନଙ୍କର ସମସ୍ତ ଟଙ୍କା ଫେରସ୍ତ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଏୟାର ଇଣ୍ଡିଆର ମୋଟ ୫ଟି ବିମାନକୁ ବାତିଲ କରାଯାଇଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତକାଲି ମଧ୍ୟ ଅହମ୍ମଦାବାଦରୁ ଲଣ୍ଡନ ଯିବାକୁ ବିମାନକୁ ବାତିଲ କରାଯାଇଥିଲା । ସେହିପରି ହଂକଂରୁ ଦିଲ୍ଲୀ ଆସୁଥିବା ବିମାନ ଏଆଇ ୩୧୫ ରେ ଯାନ୍ତ୍ରିକ ସମସ୍ୟା ଯୋଗୁଁ ଉଡ଼ାଣର କିଛି ସମୟ ପରେ ହଂକଂ ବିମାନ ବନ୍ଦରକୁ ଫେରିଯାଇଥିଲା । ଅନ୍ୟପକ୍ଷରେ ଆଜି ସାନ ଫ୍ରାନ୍ସିସ୍କୋରୁ ମୁମ୍ବାଇ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନରେ ହଠାତ୍ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ଫଳରେ କୋଲକାତାରେ ଜରୁରୀ ଅବତରଣ କରିଛି । ବିମାନର ଗୋଟିଏ ଇଞ୍ଜିନ ଖରାପ ହୋଇଯାଇଥିବା ଜଣାପଡ଼ିଛି । ଯାତ୍ରୀମାନଙ୍କୁ ଅନ୍ୟ ଏକ ବିମାନରେ ଗନ୍ତବ୍ୟ ସ୍ଥଳକୁ ପଠାଯିବ ।