ମୁମ୍ବାଇ: ଦେଶର ନାମୀଦାମୀ ପ୍ରଚ୍ଛଦପଟ ଗାୟକଙ୍କ ମଧ୍ୟରୁ ଅରିଜିତ ସିଂ ଜଣେ । ତାଙ୍କ ଗୀତ ଆଜିର ଯୁବପୀଢ଼ିଙ୍କୁ ବେଶ ପସନ୍ଦ । ତାଙ୍କ କଣ୍ଠ ଯେତିକି ସୁମଧୁର , ତାଙ୍କ ଦୈନନ୍ଦିନ ଜୀବନ ଶୈଳୀ ମଧ୍ୟ ସେତିକି ସାଧାରଣ । ଦିନକୁ ଦିନ ତାଙ୍କର ଚାହିଦା ବଢ଼ିଚାଲିଛି । ଦେଶ ସହିତ ବିଦେଶରେ ମଧ୍ୟ ଅନେକ ଶୋ କରୁଛନ୍ତି । କିନ୍ତୁ ଅରିଜିତ ସିଂ ଗୋଟିଏ ଶୋ ପାଇଁ କୋଟି କୋଟି ଟଙ୍କା ଦାବି କରନ୍ତି । ଏକଥା ଆମେ କହୁନୁ ବରଂ ବଲିଉଡର ଆଉ ଜଣେ ଗାୟକ ରାହୁଲ ବୈଦ କହିଛନ୍ତି । ତେବେ ଏହାର କାରଣ ମଧ୍ୟ ଜାଣିଲେ ପାଠକମାନେ ଆଶ୍ଚର୍ଯ୍ୟ ହୋଇଯିବେ ।
ଗାୟକ ରାହୁଲ ବୈଦ ଏକ ସାକ୍ଷାତକାରରେ କହିଛନ୍ତି ଯେ ଅରିଜିତ ସିଂ ଗୋଟିଏ ଶୋ ପାଇଁ ମୋଟା ଅଙ୍କର ଟଙ୍କା ନିଅନ୍ତି । ମାତ୍ର ୨ ଘଣ୍ଟାର ଶୋ ପାଇଁ ପ୍ରାୟ ୧୪ କୋଟି ଟଙ୍କା ଦାବି କରନ୍ତି । ଏହାର କାରଣ ମଧ୍ୟ ଅତି ରୋଚକ ଅଟେ । ଅରିଜିତ ପ୍ରଥମେ ଶୋ କରିବାକୁ ବିଲକୁଲ ପସନ୍ଦ କରୁ ନ ଥିଲେ । ସେଥିପାଇଁ ଜାଣିଶୁଣି ଟଙ୍କା ବଢ଼ାଇ ଦିଅନ୍ତି । ସେ ଏତେ ଟଙ୍କା ମାଗିବେ ଯେମିତି ସାମ୍ନାବାଲା ବାଧ୍ୟ ହୋଇ ମନା କରି ଦେବ । କିନ୍ତୁ ଲୋକ ତାଙ୍କର ଗୀତକୁ ବହୁତ ପସନ୍ଦ କରନ୍ତି । ସେଥିପାଇଁ ପ୍ରସଂଶକମାନେ ମଧ୍ୟ କୁହନ୍ତି ତୁମେ ଟଙ୍କା ନିଅ ଏବଂ ଆସି ଶୋ କର । ଯେଉଁଥିପାଇଁ ଅରିଜିତ ବାଧ୍ୟ ହୋଇ ଶୋ କରିବାକୁ ଯାଆନ୍ତି । ଖାଲି ସେତିକି ନୁହେଁ ତାଙ୍କ ପରିଚାଳନା ଟିମ୍ ଅନ୍ୟମାନଙ୍କୁ ମଧ୍ୟ ଶିଖାଇ ଦେଇଛି ଯେ ଗାୟକମାନେ କେତେ ଟଙ୍କା ନେବେ ।
ରାହୁଲ ବୈଦ ଆହୁରି ମଧ୍ୟ କହିଛନ୍ତି, ପୂର୍ବରୁ କେବଳ ଗାୟକଙ୍କ ପାଇଁ ଲକ୍ଷରେ କଥାବାର୍ତ୍ତା ହେଉଥିଲା, କିନ୍ତୁ ବର୍ତ୍ତମାନ କୋଟିରେ କଥା ପହଁଚିଲାଣି । କିନ୍ତୁ ଅରିଜିତଙ୍କ ସବୁଠାରୁ ଭଲ ଗୁଣ ହେଲେ ସେ ଯେତିକି ସଫଳତା ପାଇଛନ୍ତି, ମାତ୍ର ତାଙ୍କର ଜୀବନ ଶୈଳୀ ବହୁତ ସାଧାସିଧା ଅଟେ । ସେ ଲୋକ ଦେଖାଣିଆ କାମ କରନ୍ତି ନାହିଁ ବୋଲି କହିଛନ୍ତି ରାହଲ ।
ନିକଟରେ ସ୍ପଟିଫାଏ ନାମକ ଆପରେ ସବୁଠାରୁ ଅଧିକ ଖୋଜା ଯାଇଥିବା ନାଁ ମଧ୍ୟରେ ଅରିଜିତ ସିଂ ରହିଛନ୍ତି । ସ୍ପଟିଫାଏ ଏକ ଗୀତ ଶୁଣିବା ଆପ୍ ଅଟେ । ଅରିଜିତଙ୍କର ୧୪୦ ମିଲିଅନରୁ ଅଧିକ ଫଲୋର୍ସ ଅଛନ୍ତି ।