ମୁମ୍ବାଇ: ‘କାଣ୍ଟା ଲଗା ଗାର୍ଲ’ ନାମରେ ପରିଚିତ ଶେଫାଳୀ ଜରିୱାଲାଙ୍କ ନିଧମ ହିନ୍ଦୀ ଟେଲିଭିଜନ ଦୁନିଆକୁ ଏକ ବଡ଼ ଝଟକା ଦେଇଛନ୍ତି । ଅଭିନେତ୍ରୀଙ୍କ ଅକାଳ ବିୟୋଗକୁ କେହି ସହଜରେ ଗ୍ରହଣ କରି ପାରୁନାହାଁନ୍ତି । ପ୍ରାଥମିକ ରିପୋର୍ଟରୁ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସବୁ କିଛି ସ୍ପଷ୍ଟ ହେବ ବୋଲି ପୋଲିସ କହିଛି । ଅନ୍ୟପକ୍ଷରେ ଶେଫାଳୀଙ୍କ ବାସଭବନରେ ଫରେନସିକ୍ ଟିମ ପହଁଚି ତନାଘନା ଆରମ୍ଭ ହୋଇଛି ।
ପ୍ରାଥମିକ ରିପୋର୍ଟ ଅନୁସାରେ, ମୁମ୍ବାଇ ଅନ୍ଧେରୀସ୍ଥିତ ବାସଭବନରେ ଶେଫାଳୀ ଜରିୱାଲା ଏବଂ ତାଙ୍କ ସ୍ୱାମୀ ତଥା ଅଭିନେତା ପରାଗ ତ୍ୟାଗୀ ରହୁଥିଲେ । ଶୁକ୍ରବାର ବିଳମ୍ବିତ ରାତିରେ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ପରାଗ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ପ୍ରାୟ ୧୧ଟା ୧୫ ମିନିଟ ସମୟରେ ମେଡ଼ିକାଲରେ ପହଁଚିଥିଲେ । ଡ୍ୟୁଟିରେ ଥିବା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ରାତି ପ୍ରାୟ ସାଢ଼େ ୧୨ଟାରେ ଶେଫାଳୀଙ୍କ ମୃତ ଦେହକୁ କୁପର ମେଡ଼ିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଥିଲା । ଶନିବାର ପୂର୍ବାହ୍ନ ୧୧ଟରେ ତାଙ୍କର ଶବ ବ୍ୟବଚ୍ଛେଦ ଆରମ୍ଭ ହୋଇଥିଲା ।
ତେବେ ଶେଫାଳୀଙ୍କ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠିଛି । କେମିତି ତାଙ୍କର ଦେହାନ୍ତ ହେଲା ? ତେବେ ପୋଲିସ କହିଛି ଶେଫାଳୀଙ୍କ ମୃତ ଦେହ ତାଙ୍କ ବାସଭବନରୁ ମିଳିଥିଲା । ଶନିବାର ରାତି ପ୍ରାୟ ଗୋଟାଏ ବେଳେ ତାଙ୍କର ମୃତ୍ୟୁ ହୋଇଥିବା ପୋଲିସକୁ ସୂଚନା ମିଳିଥିଲା । ପୋଲିସ କହିଛି, ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତାଙ୍କର ମୃତ୍ୟୁର କାରଣ ସ୍ପଷ୍ଟ ହେବ ।
ପୋଲିସ ସ୍ୱାମୀ ପରାଗ ତ୍ୟାଗୀଙ୍କ ସମେତ ୪ ଜଣଙ୍କ ବୟାନ ରେକର୍ଡ କରିଛି । ତେବେ ଏଥିରେ ପୋଲିସକୁ କୌଣସି ସନ୍ଦେହ ଜନକ ସ୍ଥିତି ମିଳି ନାହିଁ ।
ସିଦ୍ଧାର୍ଥଙ୍କୁ ନେଇଥିଲା ଶେଫାଳୀଙ୍କ ଶେଷ ପୋଷ୍ଟ
ସେପଟେ ଶେଫାଳୀଙ୍କ ଶେଷ ସୋସିଆଲ୍ ମିଡ଼ିଆ ପୋଷ୍ଟ ଭାଇରାଲ ହେଉଛି । ଯେଉଁଥିରେ ସେ ତାଙ୍କର ବନ୍ଧୁ ସ୍ୱର୍ଗତ ସିଦ୍ଧାର୍ଥ ଶୁକ୍ଳାଙ୍କୁ ବିଷୟରେ ଲେଖିଥିଲେ । ଶେଫାଳୀ ସିଦ୍ଧାର୍ଥଙ୍କ ସହ ଏକ ଫଟୋ ପୋଷ୍ଟ କରିଥିଲେ, “ଆଜି ତୁମ କଥା ଭାବୁଥିଲି, ମୋ ବନ୍ଧୁ” ।
ଏଠାରେ ଉଲ୍ଲେଖ ଯୋଗ୍ୟ, ୨୦୦୨ରେ ଶେଫାଳୀ ଜରିୱାଲା 'କାଣ୍ଟା ଲଗା' ଗୀତରୁ ଲୋକପ୍ରିୟତା ହାସଲ କରିଥିଲେ । ଏହି ଗୀତକୁ ଲୋକେ ବେଶ ପସନ୍ଦ କରିଥିଲେ । ୨୦୦୪ରେ ଅକ୍ଷୟ କୁମାର ଏବଂ ସଲମାନ ଖାନଙ୍କ ସହିତ ଫିଲ୍ମ 'ମୁଝସେ ଶାଦୀ କରୋଗୀ'ରେ ମଧ୍ୟ ଅଭିନୟ କରିଥିଲେ । ଲୋକପ୍ରିୟ ଶୋ 'ବିଗ୍ ବସ୍'ର ୧୩ତମ ସିଜିନରେ ସେ ଅଂଶ ଗ୍ରହଣ କରିଥିଲେ । ଯେଉଁଥିରେ ସ୍ୱର୍ଗତ ସିଦ୍ଧାର୍ଥ ଶୁକ୍ଳା ବିଜେତା ଥିଲେ । ସେ ମଧ୍ୟ ହୃଦଘାତରେ ପ୍ରାଣ ହରାଇଛନ୍ତି ।