ନୂଆଦିଲ୍ଲୀ: ଆମିର ଖାନ ଓ ଜେନେଲିଆ ଡିସୁଜାଙ୍କ ଅଭିନୀତ ‘ସିତାରେ ଜମିନ ପର’ ଫିଲ୍ମ ଏବେ ବକ୍ସଅଫିସରେ ଧମାଲ କରୁଛି । ଜୁନ ୨୦ରେ ସିନେମା ଘରକୁ ଆସିଥିବା ଏହି ଫିଲ୍ମକୁ ସବୁ ବର୍ଗର ଲୋକେ ବେଶ ପସନ୍ଦ କରୁଛନ୍ତି । ପ୍ରଶଂସକଙ୍କଠୁ ନେଇ ସିନେ ସମୀକ୍ଷକଙ୍କଠୁ ଫିଲ୍ମକୁ ଭରପୂର ଭଲ ପାଇବା ମିଳୁଛି । ଯାହାର ପ୍ରତିଫଳନ ୱିକେଣ୍ଡରେ ଦେଖିବାକୁ ମିଳିଛି । ପ୍ରଥମ ଦିନ ମନ୍ଥର ଆରମ୍ଭ ପରେ ଫିଲ୍ମ ଯେଉଁଭଲି ଭାବେ ଆଗକୁ ବଢୁଛି ତାହା ସଭିଙ୍କୁ ଚକିତ କରିଛି ।
‘ସିତାରେ ଜମିନ ପର’କୁ ନେଇ ଏମିତି କଳ୍ପନା ଜଳ୍ପନା କରାଯାଉଥିଲା ଯେ, ଫିଲ୍ମ ବକ୍ସ ଅଫିସରେ କିଛି ଖାସ୍ କରି ପାରିବ ନାହିଁ । ମାତ୍ର ଫିଲ୍ମ ନିଜର କାହାଣୀ ଏବଂ କଳାକାରଙ୍କ ଚମତ୍କାର ଅଭିନୟ ସହ ଦମଦାର ବକ୍ସ ଅଫିସ କଲେକ୍ସନ ସମାଲୋଚକଙ୍କ ମୁହଁ ବନ୍ଦ କରି ଦେଇଛି. ‘ସିତାରେ ଜମିନ ପର’କୁ ଦର୍ଶକଙ୍କଠୁ ଢେର ସାରା ଭଲ ପାଇବା ମିଳି ଚାଲିଛି । ଫିଲ୍ମରେ ଆମିର ଖାନଙ୍କ ଅଭିନୟ ଦମଦାର ଥିବା ବେଳେ ବାକି ୧୦ ନୂଆ କଳାକାରଙ୍କ ଅଭିନୟ ସିଧା ହୃଦୟକୁ ଛୁଇଁଛି । ଏଥିପାଇଁ ଏହି ଫିଲ୍ମକୁ ଦେଖିବା ପାଇଁ ସିନେମାଘରେ ଦର୍ଶକଙ୍କ ଭିଡ ବଢିବାରେ ଲାଗିଛି । ଶନିବାର ଓ ରବିବାର ଫିଲ୍ମ ବକ୍ସ ଅଫିସରେ କମାଲ ବ୍ୟବସାୟ କରିଛି ।
ସାକନିଲକର ରିପୋର୍ଟ ଅନୁଯାୟୀ, ଫିଲ୍ମ ପ୍ରଥମ ଦିନ କେବଳ ୧୦.୭ କୋଟି ଟଙ୍କା ବ୍ୟବସାୟ କରିଥିଲା । ହେଲେ ଦ୍ୱିତୀୟ ଦିନ ୨୦.୨ କୋଟି ଆୟ କରିଛି । ଆଉ ରିଲିଜର ତୃତୀୟ ଦିନ ୨୯ କୋଟି ଟଙ୍କାର ଜବରଦସ୍ତ କଲେକ୍ସନ କରିଛି । ଏଥିସହ ‘ସିତାରେ ଜମିନ ପର’ ୩ ଦିନରେ ୫୯.୯୦ କୋଟିର ଆୟ କରି ସାରିଛି ।
‘ସିତାରେ ଜମିନ ପର’ ଫିଲ୍ମ ୯୦ କୋଟି ବଜେଟରେ ନିର୍ମାଣ ହୋଇଛି । ଆଉ ଫିଲ୍ମ ପ୍ରଥମ ତିନି ଦିନରେ ଅଧାରୁ ଅଧିକ ଖର୍ଚ୍ଚ ଆଦାୟ କରି ସାରିଛି । ଏବେ ଫିଲ୍ମର ପ୍ରକୃତ ପରୀକ୍ଷା ସୋମବାର ରହିଛି । ଦେଖିବାକୁ ବାକି ରହିଲା ଫିଲ୍ମ ସୋମବାର କେତେ ବ୍ୟବସାୟ କରୁଛି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଆରଏସ ପ୍ରସନ୍ନା ।