ମୁୁମ୍ବାଇ: ବଲିଉଡର ମିଷ୍ଟର ପରଫେକ୍ଟନିଷ୍ଟ ଆମିର ଖାନ ନିଜର ଫିଲ୍ମ ଜରିଆରେ ସର୍ବଦା ଲୋକଙ୍କ ହୃଦୟ ଜିତିଥାନ୍ତି । ଲାଲ ସିଂ ଚଡ୍ଡା ଫ୍ଲପ ହେବା ପରେ ସିତାରେ ଜମିନ ପର ହେଉଛି ତାଙ୍କର କମବ୍ୟାକ ଫିଲ୍ମ । ଏହି ଫିଲ୍ମକୁ ଦର୍ଶକ ଓ ସିନେ ସମୀକ୍ଷକଙ୍କ ଭରପୂର ଭଲ ପାଇବା ମିଳିଛି । ସବୁ ବର୍ଗର ଲୋକେ ଫିଲ୍ମକୁ ବେଶ ପସନ୍ଦ କରିଛନ୍ତି । ଫିଲ୍ମ ଏବେ ବକ୍ସ ଅଫିସରେ ଧମାଲ କରୁଛି । ପ୍ରଥମ ଦିନରେ ମନ୍ଥର ବକ୍ସ ଅଫିସ କଲେକ୍ସନ ପରେ ଦ୍ୱିତୀୟ ଦିନରେ ଫିଲ୍ମ କମାଲ କରିଛି ।
ପ୍ରଥମ ଦିନରେ ଫିଲ୍ମ ୧୦.୭୦ କୋଟି ଟଙ୍କାର ବ୍ୟବସାୟ କରିଥିଲା । ଏବେ ଦ୍ୱିତୀୟ ଦିନ ଅର୍ଥାତ ଶନିବାରର ବକ୍ସ ଅଫିସ କଲେକ୍ସନ ରିପୋର୍ଟ ସାମ୍ନାକୁ ଆସିଛି । ସାକନିିଲକର ରିପୋର୍ଟ ମୁତାବକ ଶନିବାର ‘ସିତାରେ ଜମିନ ପର’ ୨୧.୫୦ କୋଟିର କାରବାର କରିଛି । ଅର୍ଥାତ ଶୁକ୍ରବାର ତୁଳନାରେ ଶନିବାର ଫିଲ୍ମ ଡବଲ ଆୟ କରିଛି । ଏହି ପରି ଫିଲ୍ମ ଦୁଇ ଦିନରେ ୩୨.୨୦ କୋଟି ଟଙ୍କାର କାରବାର କରି ସାରିଲାଣି । କିନ୍ତୁ ଫିଲ୍ମର ଦ୍ୱିତୀୟ ଦିନର ଅଫିସିଆଲ ତଥ୍ୟ ଆସିନାହିଁ । ରବିବାର ଫିଲ୍ମର ବକ୍ସ ଅଫିସ କଲେକ୍ସନ ଆହୁରି ଜବରଦସ୍ତ ରହିବାର ଯଥେଷ୍ଟ ସମ୍ଭାବନା ରହିଛି ।
ଫିଲ୍ମର ମୁଖ୍ୟ ଚରିତ୍ରରେ ଆମିର ଖାନଙ୍କ ବ୍ୟତୀତ ଅଭିନେତ୍ରୀ ଜେଲେନିଆ ଡି ସୁଜା ଦମଦାର ଅଭିନୟ କରିଛନ୍ତି । ଏହି ଦୁହିଁଙ୍କ ବ୍ୟତୀତ ଅନ୍ୟ କଳାକାରଙ୍କ ଅଭିନୟ ଫିଲ୍ମକୁ ଆହୁରି ଜୀବନ୍ତ କରି ଦେଇଛି । ଫିଲ୍ମରେ କମେଡି, ଡ୍ରାମା ଓ ଇମୋସନରେ ଭରପୂର ରହିଛି । ଯେଉଁ ସମୟରେ ଭାରତରେ ମାସ ମୁଭି ଅର୍ଥାତ ଆକ୍ସନ ଥ୍ରିଲର ଫାଇଟ୍ ଫିଲ୍ମ ଗୋଟିଏ ପରେ ଗୋଟିଏ ରିଲିଜ ହୋଇ ଚାଲିଛି ସେହି ସମୟରେ ‘ସିତାରେ ଜମିନ ପର’ ଫିଲ୍ମ ରିଲିଜ୍ ହୋଇ ସଭିଙ୍କ ହୃଦୟ ଜିଣିଛି । ଫିଲ୍ମଟି ସମାଜକୁ ଅନେକ ବାର୍ତ୍ତା ଦେଉଛି, ଯାହା ଲୋକଙ୍କୁ ଭାବିବାକୁ ବାଧ୍ୟ କରୁଛି ।