ବଲିଉଡରେ ଅନେକ ଫିଲ୍ମ ବକ୍ସ ଅଫିସରେ ଫ୍ଲପ୍ ହୋଇଥାଏ, କିନ୍ତୁ ‘ଦ ଲେଡି କିଲର’ର ଅବସ୍ଥା ସବୁଠାରୁ ଅଲଗା ଥିଲା। ଅର୍ଜୁନ କପୁର ଏବଂ ଭୂମି ପେଡନେକର ଅଭିନୀତ ଏହି ଫିଲ୍ମକୁ ୪୫ କୋଟି ଟଙ୍କାର ବଜେଟରେ ନିର୍ମାଣ କରାଯାଇଥିଲା, କିନ୍ତୁ ରିଲିଜ୍ ହେବାର ପ୍ରଥମ ଦିନରେ ସାରା ଦେଶରେ ମାତ୍ର ୨୯୩ଟି ଟିକେଟ୍ ବିକ୍ରି ହୋଇଥିଲା।
ଏହି ଫିଲ୍ମଟି ବର୍ଷ ୨୦୨୩ ରେ ମୁକ୍ତିଲାଭ କରିଥିଲା। ଏହି ସିନେମାର ଅବସ୍ଥା ଏପରି ଥିଲା ଯେ ରିଲିଜ୍ ପରେ ଅନେକ ପ୍ରେକ୍ଷାଳୟରେ ଶୋ’ ଚାଲିଥିଲା, କିନ୍ତୁ ଦର୍ଶକଙ୍କ ସଂଖ୍ୟା ଅଙ୍ଗୁଳିମେୟ ଥିଲା। ଫିଲ୍ମର ଆୟ ଶୁଣି ବ୍ୟବସାୟିକ ବିଶେଷଜ୍ଞଙ୍କ ସମେତ ସିନେମା ହଲ୍ ମାଲିକମାନେ ମଧ୍ୟ ଚକିତ ହୋଇଯାଇଥିଲେ ଏବଂ ଲୋକେ ଏହାକୁ ବଲିଉଡର ସବୁଠାରୁ ଆଶ୍ଚର୍ଯ୍ୟଜନକ ରିଲିଜ୍ ଭାବରେ ଗଣନା କରିବାକୁ ଲାଗିଲେ।
ଅଧାପନ୍ତରିଆ ଭାବେ ହୋଇଥିଲା ରିଲିଜ୍
ଏହି ସିନେମାର ସବୁଠାରୁ ବଡ଼ ଦୋଷ ଥିଲା ଯେ, ଏହାକୁ ଅଧାପନ୍ତରିଆ ଭାବେ ରିଲିଜ୍ କରିଦିଆଯାଇଥିଲା। ଅଜୟ ବହଲଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ୪୫ କୋଟି ଟଙ୍କାର ଫିଲ୍ମ ସମୁଦାୟ ୧ ଲକ୍ଷ ଟଙ୍କା ମଧ୍ୟ ରୋଜଗାର କରିପାରିନଥିଲା। ସୂଚନା ଅନୁଯାୟୀ, ଏହି ଫିଲ୍ମ ମାତ୍ର ୬୦ ହଜାର ଟଙ୍କା ଆୟ କରିଥିଲା।
ଏହାର ମୁକ୍ତିଲାଭ ମଧ୍ୟ ଅତ୍ୟନ୍ତ ଅଦ୍ଭୁତ ଭାବେ ହୋଇଥିଲା। ବିନା କୌଣସି ପ୍ରଚାର ପ୍ରସାରରେ ଏହାକୁ ସୀମିତ ସିନେମା ହଲ୍ରେ ପ୍ରଦର୍ଶିତ କରାଯାଇଥିଲା। କୁହାଯାଏ ଯେ, ସୁଟିଂ ସମୟରେ କଳାକାର ଏବଂ ନିର୍ଦ୍ଦେଶକଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଥିଲା। ଯଦିଓ ନିର୍ଦ୍ଦେଶକ ଏହି କଥାକୁ ଅସ୍ୱୀକାର କରିଥିଲେ, କିନ୍ତୁ ସେ ଜଣାଇଥିଲେ ଯେ ଫିଲ୍ମର କାମ ସମ୍ପୂର୍ଣ୍ଣ ନହୋଇ ଏହାକୁ ଅଧାରୁ ହିଁ ରିଲିଜ୍ କରିଦିଆଯାଇଥିଲା।
୩୦ ପ୍ରତିଶତ ସୁଟିଂ ହୋଇନଥିଲା
ଏକ ସାକ୍ଷାତକାରରେ ନିର୍ଦ୍ଦେଶକ ଜଣାଇଥିଲେ ଯେ, ଫିଲ୍ମର ୩୦ ପ୍ରତିଶତ ଅଂଶ ସୁଟିଂ ହୋଇପାରିନଥିଲା। ଏହି କାରଣରୁ କାହାଣୀ ଏବଂ ଚରିତ୍ରଗୁଡ଼ିକ ମଧ୍ୟରେ କୌଣସି ସମନ୍ୱୟ ରହିପାରିନଥିଲା। ଏହା ସହିତ ଫିଲ୍ମର ପ୍ରଚାର ପାଇଁ ମଧ୍ୟ ମୁଖ୍ୟ କଳାକାରମାନେ ଅନୁପସ୍ଥିତ ରହିଥିଲେ। ଏହି ସମସ୍ତ କାରଣ ପାଇଁ ‘ଦ ଲେଡି କିଲର’ ଭାରତୀୟ ସିନେମା ଇତିହାସରେ ଏକ ସବୁଠାରୁ ବଡ଼ ଫ୍ଲପ୍ ସିନେମା ଭାବେ ପରିଗଣିତ ହେଲା।