ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ରଜନୀକାନ୍ତ ଏବେ ଅସୁସ୍ଥ ଅଛନ୍ତି । ଚେନ୍ନାଇସ୍ଥିତ ଆପୋଲୋ ହସ୍ପିଟାଲରେ ସେ ଏବେ ଚିକିତ୍ସାଧୀନ ଅଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫୋନ ଯୋଗେ ରଜନୀକାନ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିଛନ୍ତି । ମୋଦୀ ରଜନୀଙ୍କ ପତ୍ନୀ ଲତାଙ୍କ ସହିତ ଫୋନରେ କଥା ହୋଇ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏ ନେଇ ତାମିଲନାଡୁ ବିଜେପି ନେତା କେ. ଅନ୍ନାମଲାଇ ନିଜର ସାମାଜିକ ଗଣମାଧ୍ୟମ ଏକ୍ସରେ ସୂଚନା ଦେଇଛନ୍ତି ।
ଏହା ପୂର୍ବରୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ ଏବଂ କମଲ ହାସନ ମଧ୍ୟ ରଜନୀକାନ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିଛନ୍ତି ।
ଆପୋଲୋ ହସ୍ପିଟାଲ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି ଯେ ୩୦ ସେପ୍ଟେମ୍ବର, ସୋମବାର ବିଳମ୍ବିତ ରାତିରେ ରଜନୀକାନ୍ତଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କର ହୃଦରେ ସମସ୍ୟା ଥିଲା । ଏହା ପରେ ଏକ ଅସ୍ତ୍ରୋପଚାର ଜରିଆରେ ଷ୍ଟେଣ୍ଟ ଲଗାଯାଇଛି । ଏହା ପରେ ରଜନୀକାନ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ମେଡ଼ିକାଲ ବିବୃତ୍ତିରେ କୁହାଯାଇଛି । ଆଗାମୀ ଦୁଇ ଦିନ ମଧ୍ୟରେ ତାଙ୍କୁ ହସ୍ପିଟାଲରୁ ମୁକ୍ତ କରାଯିବ ବୋଲି କୁହାଯାଇଛି ।
ଅନ୍ୟପକ୍ଷରେ ଆସନ୍ତା ଅକ୍ଟୋବର ୧୦ ତାରିଖରେ ରଜନୀକାନ୍ତଙ୍କ ଅଭିନୀତ ଫିଲ୍ମ ବେଟୈୟାଁ ମୁକ୍ତିଲାଭ କରିବାକୁ ଯାଉଛି । ଏହି ଚଳଚ୍ଚିତ୍ର ଏକ ସତ୍ୟ ଘଟଣା ଉପରେ ଆଧାରିତ ଅଟେ । ଯାହାକୁ ଦେଖିବାକୁ ରଜନୀକାନ୍ତଙ୍କ ପ୍ରଶଂସକମାନେ ଅତି ଉତ୍କଣ୍ଠାର ସହିତ ଅପେକ୍ଷା କରି ରହିଛନ୍ତି ।