ମୁମ୍ବାଇ: ବଲିଉଡ଼ ଅଭିନେତା ସଲମାନ ଖାନଙ୍କ ଘର ଉପରକୁ ଗୁଳି ଚାଳନା କରିବା ମାମଲାରେ ନଭି ମୁମ୍ବାଇ ପୁଲିସକୁ ଏକ ବଡ଼ ସଫଳତା ମିଳିଛି । ମୁମ୍ବାଇ ପୁଲିସ ଜଣେ ଅଭିଯୁକ୍ତକୁ ହରିୟାଣାରୁ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲା ପାନିପଥର ସୁଖା ନାମକ ଯୁବକ । ତାକୁ ଗୁରୁବାର ହରିୟାଣାର କୋର୍ଟରେ ହାଜର କରାଯିବାର ପରେ ମୁମ୍ବାଇ ପୁଲିସ ରିମାଣ୍ଡରେ ଆଣିବ ବୋଲି ଜଣାପଡ଼ିଛି ।
ସଲମାନଙ୍କ ପାନଭେଲ୍ ଫାର୍ମହାଉସ ଉପରକୁ ଗତ ଜୁନ ମାସରେ ଗୁଳି ଚାଳନା କରାଯାଇଥିଲା । ଏପ୍ରିଲ ମାସରେ ବାନ୍ଦ୍ରାରେ ଥିବା ସଲମାନଙ୍କ ଘର ଉପରକୁ ଗୁଳି ମାଡ଼ ହେବା ପରେ ପୁଣି ଏହି ଗୁଳି କାଣ୍ଡ ହୋଇଥିଲା । ଏ ନେଇ ସଲମାନ ଖାନ ଥାନାରେ ଅଭିଯୋଗ କରିଥିଲେ । ଗ୍ୟାଙ୍ଗ ଷ୍ଟାର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ଏହି ଗୁଳିକାଣ୍ଡରେ ସମ୍ପୃକ୍ତ ଅଛି ବୋଲି ସେ ଏତଲାରେ ଉଲ୍ଲେଖ କରିଥିଲେ । ଚଳିତ ଜାନୁୟାରୀ ମାସରେ ମଧ୍ୟ ତାଙ୍କ ଫାର୍ମ ହାଉସ ଉପରକୁ ଗୁଳି ମାଡ଼ କରାଯାଇଥିଲା ।
୨୦୨୨ରେ ସଲମାନଙ୍କ ଘର ସମ୍ମାରୁ ଏକ ଧମକ ପୂର୍ଣ୍ଣ ଚିଠି ମିଳିଥିଲା । ସେହିପରି ୨୦୨୩ ମାର୍ଚ୍ଚରେ ମଧ୍ୟ ଇ-ମେଲ ଜରିଆରେ ତାଙ୍କୁ ଧମକ ଦିଆଯାଇଥିଲା । ଲରେନ୍ସ ବିଷ୍ଣୋଇ ଏବଂ ସମ୍ପିତ ନେହେରା ଗ୍ୟାଙ୍ଗର ପ୍ରାୟ ୬୦ ରୁ ୭୦ ସଦସ୍ୟ ସଲମାନଙ୍କ ପରିବାର ଉପରେ ତୀକ୍ଷଣ ନଜର ରଖିଛନ୍ତି ବୋଲି ପୁଲିସକୁ ସୂଚନା ମିଳିଛି ।