ରିଲିଜ ହୋଇଛି କଙ୍ଗନା ରଣାୱତଙ୍କ ସିନେମା ଏମରଜେନ୍ସିର ନୂଆ ଟ୍ରେଲର । ଏହି ଟ୍ରେଲରକୁ ଦୀର୍ଘଦିନ ହେବ ଦର୍ଶକ ମାନେ ଅପେକ୍ଷା କରି ରହିଥିବା ବେଳେ ଆଜି ସିନେମାର ଦ୍ୱିତୀୟ ଟ୍ରେଲର ଏବେ ରିଲିଜ ହୋଇଛି । ତେବେ ଭାରତ ଇତିହାସର ଅନ୍ୟତମ ବିବାଦୀୟ ଅଧ୍ୟାୟକୁ ଲୋକଙ୍କ ସାମ୍ନାକୁ ଆଣିବ ଏହି ଚଳଚ୍ଚିତ୍ର। କାରଣ ଏହି ସିନେମାର କାହାଣୀ ଇନ୍ଦିରା ଗାନ୍ଧୀଙ୍କ ଏମରଜେନ୍ସି ସମୟର ଇତିହାସକୁ ପରଦାରେ ପ୍ରଦର୍ଶିତ କରିବ ।
ଇନ୍ଦିରା ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀଙ୍କ ସମୟରେ ଦେଶରେ ଏମରଜେନ୍ସି ଜାରି ହୋଇଥିଲା, ଯେଉଁଥି ପାଇଁ ଅନେକ ତାଙ୍କୁ ଟ୍ରୋଲ କରିଥାନ୍ତି । ତେବେ ଏଥିରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୁମିକାରେ ନଜର ଆସିଛନ୍ତି କଙ୍ଗନା ରଣାୱତ ।
ରିଲିଜ ହୋଇଥିବା ଏହି ଟ୍ରେଲର ଆରମ୍ଭ ହେଉଛି ଜୟପ୍ରକାଶ ନାରାୟଣଙ୍କ ଦ୍ଵାରା ଇନ୍ଦିରା ଗାନ୍ଧୀଙ୍କୁ ଲେଖାଯାଇଥିବା ଏକ ଚିଠିରୁ, ଯାହା ତାଙ୍କୁ ମନେପକାଇ ଦେଉଛି ଯେ ପ୍ରଧାନମନ୍ତ୍ରୀ ଆସନ ଏବେ କେବଳ ଏକ ସିଂହାସନ ନୁହେଁ, ବରଂ ଏକ ଉଗ୍ର ସିଂହ, ଯାହାର ଗର୍ଜନ ସମଗ୍ର ବିଶ୍ୱରେ ପ୍ରତିଧ୍ୱନିତ ହେବ। ଏଥିରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତିକୁ ପ୍ରାଧାନ୍ୟ ଦିଆଯାଇଛି, ଯାହାକି ଭାରତର ସ୍ୱାଧୀନତା ପରବର୍ତ୍ତୀ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ଭାଗ।
ଇନ୍ଦିରା ଗାନ୍ଧୀ ଅବତାରରେ କଙ୍ଗନାଙ୍କ ଜବରଦସ୍ତ ଅଭିନୟର ଝଲକ୍ ଟ୍ରେଲରରେ ନଜର ଆସିଛି। କଙ୍ଗନା ଏହି ସିନେମାରେ ଅବିକଳ ଇନ୍ଦିରାଗାନ୍ଧୀଙ୍କ ଭଳି ଦେଖାଯାଉଛନ୍ତି । କଙ୍ଗନାଙ୍କ ବ୍ୟତୀତ ଅଟଳ ବିହାରୀ ବାଜପେୟୀ ଭୂମିକାରେ ଶ୍ରେୟସ ତଲପଡ଼େ, ଫିଲ୍ଡ ମାର୍ଶଲ ସାମ୍ ମାନେକ୍ସା ଭୂମିକାରେ ମିଲିନ୍ଦ ସୋମନ ଏବଂ ସଞ୍ଜୟ ଗାନ୍ଧୀ ଭୂମିକାରେ ବିଶାଖ ନାୟର ପ୍ରମୁଖ କଳାକାରଙ୍କୁ ଦେଖିବାକୁ ମିଳିଛି।
ସିନେମାଟି ୨୦୨୪ ଜୁନରେ ରିଲିଜ ହେବାର ଥିଲା, ହେଲେ ବିବାଦୀୟ କାରଣରୁ ଏହାର ରିଲିଜ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା । ଏବେ ଜାନୁଆରୀ ୧୭ରେ ପରଦାକୁ ଆସିବ ସିନେମା ‘ଏମରର୍ଜେନ୍ସି’।