ମୁମ୍ବାଇ: ବଲିଉଡର ଆଗ ଧାଡ଼ିର ଅଭିନେତା ତଥା ଦର୍ଶକଙ୍କୁ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଭେଟି ଦେଉଥିବା ବିକ୍ରାନ୍ତ ମେସୀ ଏକ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି । ସେ ଅଭିନୟ ଦୁନିଆରୁ ଅବସର ନେବାକୁ ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି । ଆସନ୍ତା ବର୍ଷ ୨୦୨୫ରେ ସେ ଶେଷ ଥର ପାଇଁ ନଜର ଆସିବେ ବୋଲି ସୂଚନା ଦେଇଛନ୍ତି । ବିକ୍ରାନ୍ତଙ୍କର ଏ ନିଷ୍ପତିକୁ ତାଙ୍କ ପ୍ରଶଂସକମାନେ ସହଜରେ ଗ୍ରହଣ କରି ପାରି ନାହାଁନ୍ତି ।
ବିକ୍ରାନ୍ତ ମେସୀ ଲେଖିଛନ୍ତି, “ଗତ କିଛି ବର୍ଷ ବହୁତ ଭଲ ରହିଥିଲା । ଆପଣଙ୍କ ସମର୍ଥନ ପାଇଁ ପ୍ରତ୍ୟେକଙ୍କୁ ଧନ୍ୟବାଦ ଜଣାଉଛି । କିନ୍ତୁ ମୁଁ ଯେତେବେଳେ ଆଗକୁ ବଢ଼ୁଛି, ମୁଁ ଅନୁଭବ କରୁଛି କି ଏବେ ସମୟ ଆସି ଯାଇଛି ନିଜକୁ ସମ୍ଭାଳିବାର ଏବଂ ଘରକୁ ଫେରିବାର । ଜଣେ ସ୍ୱାମୀ, ପିତା ଏବଂ ପୁଅ ହିସାବରେ, ଏବଂ ଜଣେ ଅଭିନେତା ହିସାବରେ । ୨୦୨୫ରେ ଆମେ ପରସ୍ପରକୁ ଶେଷ ଥର ପାଇଁ ଭେଟିବା, ଯେ ପର୍ଯ୍ୟନ୍ତ ସମୟ ଠିକ୍ ହୋଇ ଯାଇ ନାହିଁ । ଶେଷ ୨ଟି ଫିଲ୍ମ ଏବଂ ବହୁ ବର୍ଷର ସ୍ମୃତି । ସବୁକିଛି ପାଇଁ ସମସ୍ତଙ୍କୁ ପୁଣି ଥରେ ଧନ୍ୟବାଦ”।
ବିକ୍ରାନ୍ତ ଉଭୟ ଟିଭି ଏବଂ ବଡ଼ ପରଦାରେ ନିଜର ଅଭିନୟର ଯାଦୁ ଦେଖାଇଛନ୍ତି । ସେ ପ୍ରଥମଥର ପାଇଁ ୨୦୧୩ରେ ଫିଲ୍ମ ଲୁଟେରାରେ ନଜର ଆସିଥିଲେ । ଏହା ପରେ ‘ଦିଲ୍ ଧଡ଼କନେ ଦୋ’, ‘ଛପାକ୍’, ‘ହସିନ ଦିଲରୁବା’ ଏବଂ ‘ସେକ୍ଟର ୩୬’ରେ ସେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ।
କିନ୍ତୁ ‘୧୨ବୀ ଫେଲ୍’ ଫିଲ୍ମ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା । ଏଥିରେ ସେ ଆଇପିଏସ୍ ମନୋଜ କୁମାରଙ୍କ ଭୂମିକାକାରେ ତାଙ୍କର ନିଖୁଣ ଅଭିନୟ ଦେଖିବାକୁ ମିଳିଥିଲା । ନିକଟରେ ମୁକ୍ତିଲାଭ କରିଥିବା ‘ଦ ସାବରମତୀ ରିପୋର୍ଟ’ ତାଙ୍କୁ ଆଉ ଏକ ସଫଳତା ଦେଇଛି। ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହି ଚଳଚ୍ଚିତ୍ରକୁ ଦେଖିବା ସହ ପ୍ରଶଂସା ମଧ୍ୟ କରିଛନ୍ତି । ଅନେକ ବିଜେପି ଶାସିତ ରାଜ୍ୟ ସରକାର ଏହା ଉପରୁ କର ଛାଡ଼ କରିଛନ୍ତି ।
ତେବେ ବିକ୍ରାନ୍ତ କାହିଁକି ହଠାତ୍ ଏଭଳି ନିଷ୍ପତି ନେଲେ ତାହା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି ।ଏହା ସହିତ ସେ ବହୁ ୱେବ୍ ସିରିଜ୍ ମଧ୍ୟ କାମ କରିଛନ୍ତି । ତାଙ୍କର ଆଗାମୀ ଦୁଇ ଫିଲ୍ମ ୱୋ ୟାର୍ ଜିଗରୀ ଏବଂ ଆଖୋଁ କି ଗୁସ୍ତାଖିୟାଁରେ ଅଭିନୟ କରୁଥିବା ଜଣାପଡ଼ିଛି ।