ମୁମ୍ବାଇ: ଅହାନ ପାଣ୍ଡେଙ୍କ ଡେବ୍ୟୁ ଫିଲ୍ମ ସୈୟାରା ବକ୍ସ ଅଫିସରେ ଧମାଲ କରିଛି । ମୋହିତ ସୁରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ରୋମାଣ୍ଟିକ ଡ୍ରାମା ଫିଲ୍ମ ସଭିଙ୍କ ମନ ଜିଣିବାରେ ଲାଗିଛି । ଫିଲ୍ମକୁ ଆଶାଠୁ ଅଧିକ ଭଲ ପାଇବା ମିଳିଛି । ଆଉ ଏହାର ପ୍ରତିଫଳ ବକ୍ସ ଅଫିସ କଲେକ୍ସନରେ ଦେଖିବାକୁ ମିଳିଛି । ଫିଲ୍ମ ପ୍ରଥମ ୱିକେଣ୍ଡରେ ୮୩ କୋଟି ଟଙ୍କାର କାରବାର କରି ସାରିଛି । ଶୁକ୍ରବାର ଫିଲ୍ମ ୨୧ କୋଟି, ଶନିବାର ୨୭ କୋଟି ଏବଂ ରବିବାର ୩୭ କୋଟି ଟଙ୍କାର ବ୍ୟବସାୟ କରିଛି । ଏହି ଫିଲ୍ମ ପ୍ରଥମ ତିନି ଦିନରେ ୮୩ କୋଟି ଟଙ୍କାର କାରବାର କରିଛି । କେବଳ ଏତିକି ନୁହେଁ ଫିଲ୍ମ ଅନେକ ରେକର୍ଡ ମଧ୍ୟ ଭାଙ୍ଗିଛି ।
ସୈୟାରା ବକ୍ସ ଅଫିସ କଲେକ୍ସନ କ୍ଷେତ୍ରରେ ତିନି ଦିନରେ ଅନେକ ବଡ ରେକର୍ଡ ଭାଙ୍ଗିଛି । ଆଲିଆ ଭଟ୍ଟଙ୍କ ଡେବ୍ୟୁ ଫିଲ୍ମ ଷ୍ଟୁଡେଣ୍ଟ ଅଫ ଦ ଇୟରର ଲାଇଫଟାଇମ ଆୟ ୭୦ କୋଟି ଏବଂ ଅନନ୍ୟା ପାଣ୍ଡେଙ୍କ ଡେବ୍ୟୁ ଫିଲ୍ମ ଷ୍ଟୁଡେଣ୍ଟ ଅଫ ଦ ଇୟର ୨(୭୦ କୋଟି ୮୬)କୁ ପଛରେ ପକାଇଛି । ସୈୟାରା ଆଉ କିଛି ଦିନରେ ୧୦୦ କୋଟି କ୍ଲବରେ ସାମିଲ ହୋଇଯିବ । ପୁଣି ଫିଲ୍ମ ଜାହ୍ନବୀ କପୁରଙ୍କ ଡେବ୍ୟୁ ଫିଲ୍ମ ଧଡକ(୯୫.୧୨ କୋଟି) ଓ ସେନି ଦେଓଲଙ୍କ ଜ ।ଟ(୮୮.୨୬ କୋଟି)ର ଲାଇଫ ଟାଇମ କଲେକ୍ସନକୁ ସହଜରେ ପଛରେ ପକାଇବାକୁ ଯାଉଛି ।
ଚଳିତ ବର୍ଷ ପ୍ରଥମ ୱିକେଣ୍ଡରେ ସବୁଠୁ ଅଧିକ ରୋଜଗାର କରିଥିବା ଫିଲ୍ମ ହେଉଛି ଛାବା । ଫିଲ୍ମ ୧୨୧ କୋଟି ଟଙ୍କାର କାରବାର କରିଥିଲା । ଦ୍ୱିତୀୟରେ ଥିଲା ଅକ୍ଷୟ କୁମାରଙ୍କ ହାଉସଫୁଲ ୫ ଯାହା ୮୧ କୋଟି ଆୟ କରିଥିଲା । ହାଉସଫୁଲ ୫କୁ ପଛରେ ପକାଇ ପ୍ରଥମ ୱିକେଣ୍ଡରେ ସବୁଠୁ ଅଧିକ ରୋଜଗାର କରିବାରେ ଦ୍ୱିତୀୟ ଫିଲ୍ମ ହୋଇଛି ସୈୟାରା ।
ଏମିତି ଦମଦାର ୱିକେଣ୍ଡ କଲେକ୍ସନ ପରେ ସୈୟାରାର ଭବିଷ୍ୟତ ସ୍ପଷ୍ଟ ଚିତ୍ର ସୋମବାର ଦେଖିବାକୁ ମିଳିବ । ବଡ ବଡ ଫିଲ୍ମର ବକ୍ସ ଅଫିସରେ ଲଗାମ ଲଗାଇଥିବା ଏହି ଫିଲ୍ମ ଆଗକୁ ଅନେକ ଫିଲ୍ମର ରେକର୍ଡ ଭାଙ୍ଗିପାରେ । ସୈୟାରା କେବଳ ୧୦୦ କୋଟି ନୁହେଁ ଏବଂ ୨୦୦ କୋଟି କ୍ଲବରେ ସାମିଲ ହେବାକୁ ପ୍ରସ୍ତୁତ ହୋଇଛି । ଯଦି ପ୍ରଥମ ସପ୍ତାହରେ ସୈୟାରା ୧୪୦ କୋଟି ପାଖାପାଖି ପହଞ୍ଚୁଛି ତେବେ ଏହା ଆରାମରେ ୩୦୦ କୋଟି ପର୍ଯ୍ୟନ୍ତ ବି ଯାଇପାରେ ।