ବଡ ପରଦାକୁ ଆସିବାକୁ ଯାଉଛି ଏପିଜେ ଅବଦୁଲ କଲାମଙ୍କ ବାୟୋପିକ। ତେବେ କଲାମଙ୍କର ସମ୍ପୂର୍ଣ ଜୀବନୀକୁ ନେଇ ନୂଆ କାହାଣୀଟି ଆସୁଛି। ଯାହାର ପୋଷ୍ଟର ଏବେ ସାମ୍ନାକୁ ଆସିଛି। ଏହି ଫିଲ୍ମରେ ରାମେଶ୍ୱରମ ତାମିଲନାଡୁଠୁ ନେଇ ରାଷ୍ଟ୍ରପତି ଭବନ, ତା'ସହ ରାଷ୍ଟ୍ରପତି ହେବା ପଛର ପ୍ରେରଣାଦାୟୀ କାହାଣୀ ଖୁବଶୀଘ୍ର ବଡ଼ ପରଦା ଉପରେ ଦେଖିବାକୁ ପାଇବେ ଦର୍ଶକ। ଏହି ଫିଲ୍ମ ୨୦୨୫ରେ ମୁକ୍ତିଲାଭ କରିବାକୁ ଯାଉଥିବା ବେଳେ ଏହି ଚଳଚ୍ଚିତ୍ରଟିର ନାଁ ରହିଛି 'ଜନତା କେ ରାଷ୍ଟ୍ରପତି'।
ଏଥିରେ ଡକ୍ଟର କଲାମଙ୍କର ଜୀବନ ଯାତ୍ରା ,ତାଙ୍କର ଜ୍ଞାନ, ତାଙ୍କର ନମ୍ରତା ଏବଂ ଦେଶ ପ୍ରତି ତାଙ୍କର ସେବା ମନୋଭାବକୁ ଦେଖାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି ଚଳଚିତ୍ର ନିର୍ମାତା। ତେବେ ସେୟାର କରାଯାଇଥିବା ଏହି ବାୟୋପିକ୍ର ପୋଷ୍ଟରରେ ତାଙ୍କ ଚରିତ୍ରର ଝଲକ ପ୍ରତିପାଦିତ କରୁଛି। ତେବେ ଅଭିଷେକ ଅଗ୍ରୱାଲ ଏବଂ ଏ.କେ. ଏଣ୍ଟରଟେନମେଣ୍ଟସ୍ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରଟି ଏ.ପି.ଜେ. ଅବଦୁଲ କଲାମ ଇଣ୍ଟରନେସନାଲ ଫାଉଣ୍ଡେସନର ସହଯୋଗରେ ନିର୍ମାଣ କରାଯାଉଛି। ଭାରତର ଏହି ପ୍ରିୟ ଏବଂ ସମ୍ମାନିତ ବ୍ୟକ୍ତିତ୍ୱଙ୍କ ଚରିତ୍ର ସମ୍ପୂର୍ଣ୍ଣ ସତ୍ୟ ଏବଂ ଗାରିମା ସହ ଉପସ୍ଥାପନ କରାଯିବ ବୋଲି କହିଛନ୍ତି ଚଳଚିତ୍ର ନିର୍ମାତା।