ହାଇଦ୍ରାବାଦ: ‘ପୁଷ୍ପା ୨: ଦ ରୁଲ୍’ର ପ୍ରିମିୟର ଶୋ ସମୟରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ମାମଲାରେ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ମୁସ୍କିଲ ବଢିପାରେ। ସଦ୍ୟତମ ଖବର ଅନୁଯାୟୀ, ହାଇଦ୍ରାବାଦ ପୋଲିସ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ବିରୋଧରେ ସମନ ଜାରି କରିଛି। ଏହି ଘଟଣାରେ ପଚରା ଉଚୁରା ପାଇଁ ଆସନ୍ତାକାଲି ପୂର୍ବାହ୍ନ ୧୧ଟାରେ ହାଜର ହେବାକୁ ସମନରେ କହିଛି ପୋଲିସ।
ଡିସେମ୍ବର ୪ ତାରିଖରେ ସନ୍ଧ୍ୟା ଥିଏଟରରେ ପ୍ରିମିୟର ଶୋରେ ନିଜର ପ୍ରିୟ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ଝଲକ ଟିକେ ପାଇବା ପାଇଁ ପ୍ରଶଂସକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଆଉ ଏହି ସମୟରେ ଭିଡ଼ ଅନିୟନ୍ତ୍ରଣ ହେବାରୁ ଦଳଚକଟା ହୋଇଥିଲା। ଏଥିରେ ଜଣେ ୩୫ ବର୍ଷୀୟ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ୮ ବର୍ଷୀୟ ପୁଅଙ୍କ ଅବସ୍ଥା ଜଟିଳ ରହିଛି ଏବଂ କୋମାରେ ରହିଛି।
ଘଟଣା ପରେ ପୋଲିସ ଅଭିନେତାଙ୍କ ସହ ତାଙ୍କ ସୁରକ୍ଷା ଟିମ୍ ଓ ଥିଏଟର ପରିଚାଳକଙ୍କ ବିରୋଧରେ ଅନେକ ଦଫା ଲଗାଇ ମାମଲା ରୁଜୁ କରିଥିଲା। ଏହା ପରେ ଡିସେମ୍ବର ୧୩ ତାରିଖରେ ଅଭିନେତାଙ୍କୁ ପୋଲିସ ଗିରଫ କରିଥିଲା। ଆଉ ସେହି ଦିନ ତେଲେଙ୍ଗାନା ହାଇକୋର୍ଟରୁ ତାଙ୍କୁ ଜାମିନ ମିଳିଥିଲା। ଡିସେମ୍ବର ୧୪ରେ ସେ ଜେଲ୍ରୁ ମୁକୁଳିଥିଲେ।
ତେବେ ଏହି ପ୍ରସଙ୍ଗକୁ ନେଇ ରାଜନୀତି ଜୋର ଧରିଛି। ରବିବାର ସନ୍ଧ୍ୟାରେ କିଛି ଅଜଣା ପ୍ରଦର୍ଶନକାରୀ ଅଲ୍ଲୁଙ୍କ ବାସଭବନ ପରିସରରେ ଭଙ୍ଗାରୁଜା କରିଥିଲେ। ଏହି ଘଟଣାରେ ପୋଲିସ ୮ ଜଣଙ୍କୁ ଅଟକ ରଖିଥିଲା। ଏହି ସବୁ ଉସମାନିଆ ୟୁନିଭର୍ସିଟିର ଛାତ୍ର ଥିବା କୁହାଯାଉଛି। ସେମାନେ ମୃତକଙ୍କ ପରିବାର ପ୍ରତି ଅଲ୍ଲୁ ଅର୍ଜୁନଙ୍କ ଏକ କୋଟି ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଦାବି କରିଛନ୍ତି।